
ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇଦିନିଆ ଜାତୀୟ ରଣନୀତି ବୈଠକ ଶୁକ୍ରବାରଠାରୁ ଭାରତୀୟ କୃଷି ଗବେଷଣା ସଂସ୍ଥାନ (ପୁସା ପରିସର)ରେ ଆରମ୍ଭ ହେଉଛି। ନଭେମ୍ବର ୨୭ ଓ ୨୮ ତାରିଖରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଜାତୀୟ ପଦାଧିକାରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଏବଂ ସଂଗଠନ ମହାମନ୍ତ୍ରୀମାନେ ସାମିଲ ହେବେ। ବୈଠକରେ ମୁଖ୍ୟତଃ ୨୦୨୭ରେ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ରଣନୀତି, ସଂଗଠନକୁ ମଜଭୁତ କରିବା ଏବଂ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମର ରୂପରେଖ ଉପରେ ବ୍ୟାପକ ଆଲୋଚନା ହେବ।
ବିଜେପିର ଜାତୀୟ ସଭାପତି ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗଦେବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସାଂଗଠନିକ ମହାମନ୍ଥନରେ ମୋଟ ପାଞ୍ଚଟି ଅଧିବେଶନ ଆୟୋଜନ କରାଯିବ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ନେତୃତ୍ୱ ସଂଗଠନର ପ୍ରସ୍ତୁତି ଓ ନିର୍ବାଚନୀ ରଣନୀତିର ସମୀକ୍ଷା କରିବେ।
ଅପରାହ୍ନ ୨ଟାରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ସମସ୍ତ ୧୦୭ ଜଣ ଜାତୀୟ ପଦାଧିକାରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଏବଂ ସଂଗଠନ ସଚିବ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ପଦାଧିକାରୀ ଏକାଠି ବସ୍ରେ ପୁସା ପରିସରରେ ପହଞ୍ଚିବେ ଏବଂ ଉଭୟ ଦିନ ସେଠାରେ ରହିବେ। ସେମାନଙ୍କ ସହ କୌଣସି ବ୍ୟକ୍ତିଗତ ସହାୟକଙ୍କୁ ଯିବାକୁ ଅନୁମତି ଦିଆଯାଇନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା