

ସୁବର୍ଣପୁର, ୨୭ ନଭେମ୍ବର (ହି.ସ.)- ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମତଦାନ ସମ୍ପର୍କିତ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ବାଚନୀ ସାକ୍ଷରତା କ୍ଲବ୍ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରବନ୍ଧ ରଚନା ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଦୁଇଟି ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧ ରଚନା ଓ କୁଇଜ୍ ମାଧ୍ୟମରେ ସେମାନେ ନିଜର ସୃଜନଶୀଳତା, ଜ୍ଞାନ ଓ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କିତ ଦକ୍ଷତାର ପରିଚୟ ଦେଇଥିଲେ।
କୁଇଜ୍ ପ୍ରତିଯୋଗିତାର ଶ୍ରେଷ୍ଠ ତିନି ଜଣ ହେଲେ, ସତ୍ୟପ୍ରିୟ ବାରିକ – ବିରମହାରାଜପୁର ମହାବିଦ୍ୟାଳୟ, ବିରମହାରାଜପୁର, ଅନିତା ବୁଡ଼େକ – ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ସିନ୍ଧୋଳ, ଯଜ୍ଞାସିନୀ ମହାରଣା – ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ବିନିକା।
ସେହିପରି ପ୍ରବନ୍ଧ ରଚନା ପ୍ରତିଯୋଗିତାର ଶ୍ରେଷ୍ଠ ତିନି ଜଣ ହେଲେ, ଦେବାଶିଷ ପଧାନ – ଓ.ଏ.ଭି., ଝାରବାହାଲି, ରିତେଶ କୁମାର ରଥ – ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ, କୁନାଲ ସାହୁ – ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ବିନିକା। ଉଭୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଶ ଜଣ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ କରାଯାଇଛି। ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ଦଶ ଜଣଙ୍କୁ ସେମାନଙ୍କ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ ମେଧା ପ୍ରମାଣପତ୍ର ପ୍ରଦାନ କରାଯିବ।
ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି, ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ଗଠନ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ପକ୍ଷରୁ ସମସ୍ତ କୃତୀ ପ୍ରତିଯୋଗୀ ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ