
କେନ୍ଦ୍ରାପଡ଼ା୨୭ ନଭେମ୍ବର (ହି.ସ.) : କେନ୍ଦ୍ରାପଡ଼ା ଜିଲା କ୍ଷତ୍ରିୟ-ଖଣ୍ଡାୟତ ମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ସମେତ ମହାସଂଘର ପ୍ରମୁଖ କର୍ମକର୍ତାଙ୍କୁ ଚଳିତ ଐତିହାସିକ କେନ୍ଦ୍ରାପଡ଼ା ବାଲିଯାତ୍ରା ମଂଚରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କେନ୍ଦ୍ରାପଡ଼ା ବାଲିଯାତ୍ରା ଆୟୋଜନ କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ ସଭା ମଂଚରେ ଶ୍ରୀ ବେହୁରାଙ୍କ ସହିତ ମହାସଂଘର କର୍ମକର୍ତା ସଂଗ୍ରାମ ଜେନା, ସୁଶୀଲ ସାମଲ, ରାଜକିଶୋର ରାଉତରାୟ, ଚନ୍ଦନ ପରିଡ଼ା, ସୁଧାଂଶୁ ବେହୁରା ଏବଂ ପୀତବାସ ବେହେରାଙ୍କୁ ମଧ୍ୟ ଉତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି।ଏହି ସମ୍ବର୍ଦ୍ଧନା ପର୍ବରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଲେଖ ଚନ୍ଦ୍ର ପଢ଼ିହାରୀ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଡା. ବିଶ୍ୱପ୍ରକାଶ କାନୁନଗୋ, ବରିଷ୍ଠ ଆଇନଜୀବୀ ସଞ୍ଜୟ ଜେନା ଏବଂ ପ୍ରଦୀପ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାସଂଘର କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲାରେ କ୍ଷତ୍ରିୟ-ଖଣ୍ଡାୟତ ମହାସଂଘ ପକ୍ଷରୁ ନିରନ୍ତର ଭାବେ କରାଯାଉଥିବା ବିଭିନ୍ନ ସମାଜସେବାମୂଳକ କାର୍ୟ୍ୟ, ଗରିବ ଓ ଅସହାୟଙ୍କୁ ସହାୟତା ତଥା ସାମାଜିକ ସଂହତି ରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବାଲିଯାତ୍ରା ଆୟୋଜନ କମିଟି ପକ୍ଷରୁ ପ୍ରକାଶ କରାଯାଇଛି।ସମ୍ବର୍ଦ୍ଧିତ ହେବା ପରେ ନିଜ ପ୍ରତିକ୍ରିୟାରେ ମହାସଂଘର ସଭାପତି ଶରତ କୁମାର ବେହୁରା ବାଲିଯାତ୍ରା କମିଟି ଏବଂ ଉପସ୍ଥିତ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, କେନ୍ଦ୍ରାପଡ଼ାର ଐତିହାସିକ ବାଲିଯାତ୍ରା ମଂଚରେ ସମ୍ମାନିତ ହେବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହି ସମ୍ମାନ କେବଳ ବ୍ୟକ୍ତିଗତ ନୁହେଁ, ବରଂ ସମଗ୍ର କ୍ଷତ୍ରିୟ-ଖଣ୍ଡାୟତ ମହାସଂଘର ପ୍ରତ୍ୟେକ ସଦସ୍ୟଙ୍କ ନିଃସ୍ୱାର୍ଥପର ସମାଜସେବାର ସ୍ୱୀକୃତି। ଆଗାମୀ ଦିନରେ ମହାସଂଘ ପକ୍ଷରୁ ଜିଲାରେ ଅଧିକରୁ ଅଧିକ ଜନକଲ୍ୟାଣକାରୀ ଓ ସମାଜସେବାମୂଳକ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ବେହୁରା ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବାଲିଯାତ୍ରା କମିଟିର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି