
ପୁଲିସର ଅତର୍କିତ ଚଢ଼ଉ, ୪ ଗିରଫ; ଅନେକ ଜୁଆଡ଼ି ଫେରାର
ଝାରସୁଗୁଡ଼ା 27 ନଭେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନାଏକ କର୍ଲା ଜଙ୍ଗଲରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିଛି। ଏହି ଚଢ଼ଉରେ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ଧାରର ସୁଯୋଗ ନେଇ ଅନେକ ଜୁଆଡ଼ି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ନଗଦ ଟଙ୍କା, ୪ଟି ମୋବାଇଲ ଫୋନ୍, ୭ଟି ଗାଡ଼ି ସମେତ ବିଭିନ୍ନ ଜୁଆ ସାମଗ୍ରୀ ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ନାଏକ କର୍ଲା ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ସାହସପୁର ଫାଣ୍ଡି ଅଧିକାରୀ ଅଜିତ ବାର୍ଗେ ଓ ଏଏଆଇ କେ.ସି. ବାଗ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଜୁଆ ଖେଳରେ ସାମିଲ ଥିବା ଅନେକ ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ।
ଏହି ଘଟଣାରେ ପୁଲିସ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାମରା ଗ୍ରାମର ଚକ୍ରଧର ସାହୁ (୫୮), ଲଇକେରା ଥାନା ଖଡ଼ିଆମାଳ ବାଗଡ଼ିହିର ଜୀବନ ବୁଦୁଲା (୪୬), ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ଥାନା ବିରବିରା ଗ୍ରାମର ସନ୍ତୋଷ ବାରିକ (୪୨) ଏବଂ ଲଇକେରା ଥାନା ଭୁକୁଲାପଡ଼ା ଗ୍ରାମର ଜଗନ୍ନାଥ କିଷାନ (୩୦)ଙ୍କୁ ଗିରଫ କରିଛି।
ଚଢ଼ଉ ସମୟରେ ପୁଲିସ ନଗଦ ୨ ହଜାର ୧୧୦ ଟଙ୍କା ସହ ଲାଲ ଓ ହଳଦିଆ ରଙ୍ଗର ପ୍ଲାଷ୍ଟିକ୍ ସିଟ୍, ୪ଟି ହଳଦିଆ ଗୁଟି, ଡାଇସ୍ କପ୍, ଅଗରବତି ପ୍ୟାକେଟ୍ ଓ ପେଟ୍ରୋମାକ୍ସ ଗ୍ୟାସ୍ ଲାଇଟ୍ ଜବତ କରିଛି। ଏଥିସହ ୪ଟି ସ୍ମାର୍ଟଫୋନ୍, ଗୋଟିଏ କାର୍ (ଓଡି ୧୬ ପି ୫୪୦୯) ଏବଂ ୬ଟି ଦୁଇଚକିଆ ଯାନ ଜବତ ହୋଇଛି।
ଜବତ ଦୁଇଚକିଆ ଯାନ ମଧ୍ୟରେ ଓଡି ୧୬ ବି ୫୦୩୪, ଓଡି ୧୫ ଡବ୍ଲ୍ୟୁ ୦୧୧୯, ଓଡି ୧୫ ଏ ୫୬୯୫ ନମ୍ବର ବିଶିଷ୍ଟ ଗାଡ଼ି ସହ ନମ୍ବର ପ୍ଲେଟ୍ ନଥିବା ଗୋଟିଏ ହିରୋ ହୋଣ୍ଡା ବାଇକ୍ ରହିଛି।
ତେବେ ଜଙ୍ଗଲ ଭିତରେ ଏଭଳି ବେଆଇନ ଜୁଆ ଆଡ଼ା ଦୀର୍ଘଦିନ ଧରି ଚାଲିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ସହ ପୁଲିସର ନିୟମିତ ପାଟ୍ରୋଲିଂ ଓ ଗୁପ୍ତ ସୂଚନା ସଂଗ୍ରହ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଫେରାର ଜୁଆଡ଼ିଙ୍କୁ ଚିହ୍ନଟ କରିବା ସହ ବେଆଇନ ଜୁଆ କାରବାର ଉପରେ ରୋକ୍ ଲଗାଇବା ପାଇଁ ପୁଲିସ ପକ୍ଷରୁ ଆହୁରି କଠୋର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ