

ବଲାଙ୍ଗିର, ୨୭ ନଭେମ୍ବର (ହି.ସ.)- ବଲାଙ୍ଗିର ସଦର ବ୍ଲକ ଓ ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ନେଇ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ସ୍ଥାନୀୟ ପି.ପି. ଏକାଡେମୀ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ସୁଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, ଏକ ବିଦ୍ୟାଳୟର ସଫଳତା ଓ ସାମଗ୍ରିକ ବିକାଶ ପଛରେ ପ୍ରଧାନଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନଶିକ୍ଷକ କେବଳ ବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ନୁହନ୍ତି, ସେ ହେଉଛନ୍ତି ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏକ ସୁଦୃଢ଼ ସମନ୍ୱୟର ସେତୁ। ବିଦ୍ୟାଳୟରେ ଶୃଙ୍ଖଳା, ନିୟମିତ ଉପସ୍ଥାନ, ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ସରକାରୀ ଶିକ୍ଷା ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ପ୍ରଧାନଶିକ୍ଷକମାନେ ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ଆବଶ୍ୟକ। ଏଥିସହ ପରସ୍ପର ମଧ୍ୟରେ ଅନୁଭୂତି ଓ ସଫଳତା ବାଣ୍ଟିବା ଦ୍ୱାରା ବିଦ୍ୟାଳୟ ଶିକ୍ଷାରେ ନୂତନତ୍ୱ ଆସିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୋଶୀ ନିଜ ଅଭିଭାଷଣରେ କହିଥିଲେ ଯେ, ବିଦ୍ୟାଳୟର ଉନ୍ନତି କେବଳ ଭିତ୍ତିଭୂମି କିମ୍ବା ସରକାରୀ ଯୋଜନାରେ ସୀମିତ ନୁହେଁ ବରଂ ଉତ୍ତମ ଶିକ୍ଷାଦାନ, ଶୃଙ୍ଖଳା, ଶିକ୍ଷକଙ୍କ ନିଷ୍ଠା ଓ ପ୍ରଧାନଶିକ୍ଷକଙ୍କ ଦୂରଦୃଷ୍ଟି ହିଁ ଏକ ବିଦ୍ୟାଳୟର ପ୍ରକୃତ ପରିଚୟ। ପ୍ରତ୍ୟେକ ବିଦ୍ୟାଳୟ ନିଜର ଶିକ୍ଷାଗତ ମାନ ବୃଦ୍ଧି ପାଇଁ ସ୍ପଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ତାହାର ସଫଳ ରୂପାୟନ ଦିଗରେ ସମୂହଗତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଦଶମ ଶ୍ରେଣୀର ଫଳାଫଳରେ ଉନ୍ନତି, ଦୁର୍ବଳ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନ, ନିୟମିତ ଶିକ୍ଷାଦାନ, ଶତ ପ୍ରତିଶତ ଉପସ୍ଥାନ ଏବଂ ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀଣ ବିକାଶକୁ ପ୍ରତ୍ୟେକ ବିଦ୍ୟାଳୟ ପ୍ରାଥମିକତା ଦେବା ଉଚିତ। କେବଳ ନିଜ ବିଦ୍ୟାଳୟର ସଫଳତାରେ ସନ୍ତୁଷ୍ଟ ନ ରହି ଅନ୍ୟ ବିଦ୍ୟାଳୟର ଭଲ କାର୍ଯ୍ୟ ଓ ଅଭିନବ ପଦକ୍ଷେପରୁ ଶିଖିବା ସହ ସେଗୁଡ଼ିକୁ ନିଜ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ଦିଗରେ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ପ୍ରଧାନଶିକ୍ଷକ ନିଜ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଲେ ହିଁ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଆଶାନୁରୂପ ପରିବର୍ତ୍ତନ ଆସିପାରିବ ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସୁନୀଲ କୁମାର ବେହେରା, ରାମପ୍ରସାଦ ପଧାନ, ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଏବଂ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ୱିତୀ ରଞ୍ଜନ ମହାଲିଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକର ଅନ୍ୟତମ ଆକର୍ଷଣ ଥିଲା ପି.ପି. ଏକାଡେମୀର ବିଭିନ୍ନ ଶିକ୍ଷାଗତ ଓ ଭିତ୍ତିଭୂମି ସୁବିଧାର ପରିଦର୍ଶନ। ଉପସ୍ଥିତ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ବିଜ୍ଞାନାଗାର, ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍ ରୁମ୍ ଓ ରୋଷେଇ ଘର ବୁଲି ଦେଖିଥିଲେ। ଏହି ପରିଦର୍ଶନ ମାଧ୍ୟମରେ ବିଦ୍ୟାଳୟରେ ଉପଲବ୍ଧ ଆଧୁନିକ ଶିକ୍ଷାଦାନ ବ୍ୟବସ୍ଥା ଓ ସୁବିଧା ସମ୍ପର୍କରେ ସେମାନେ ଅବଗତ ହୋଇଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ସରୋଜ ମାଝୀ, ନମିତା ପାଣିଗ୍ରାହୀ ଓ ବୃନ୍ଦାବନ ମହାକୁର ପ୍ରମୁଖ ନିଜ ନିଜ ବିଦ୍ୟାଳୟର ଅନୁଭୂତି, ଶିକ୍ଷାଦାନ କ୍ଷେତ୍ରରେ ରହିଥିବା ସଫଳତା ଓ ନୂତନ ପଦକ୍ଷେପ ସମ୍ପର୍କରେ ମତ ବିନିମୟ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ