
ପୁରୀ, ୨୭ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଦିବସ ଉତ୍ସବ ଆସନ୍ତା ୩ ତାରିଖରେ ଟାଉନହଲ ଠାରେ ଅନୁଷ୍ଠିତ ହେବ । ଏହାର ଅବ୍ୟବହିତ ପୂର୍ବରୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭିନ୍ନକ୍ଷମ କ୍ରୀଡ଼ାବିତ ମାନଙ୍କ ମଧ୍ୟରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ କ୍ରୀଡାବିତ୍ ମାନେ ପ୍ରତିଯୋଗିତାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଅନୁଷ୍ଠାନର ଗୌରବ ବୃଦ୍ଧିରେ ସହାୟକ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ଓ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାରେ କାର୍ଯ୍ୟକ୍ଷମ ସ୍ବତନ୍ତ୍ର ବିଦ୍ୟାଳୟ ଯଥା ଡେଲାଙ୍ଗର ଆଭା, କଣାସର ନୀଳାଚଳ ସେବା ପ୍ରତିଷ୍ଠାନ, ଗୋପର ବାଙ୍ଗର ଆଇଆଇସି, ମା' ଭଗବତୀ ସେବା ସଂଘ ଓଗାଳପୁର, ପତିତପାବନ ସେବା ସଂଘ ନିମାପଡ଼ା ଅନୁଷ୍ଠାନର ଅନ୍ତେବାସୀ ମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୧୦୦ ମିଟର ଦୌଡ, ସଟଫୁଟ ଓ ସଫ୍ଟ ବଲ ଥ୍ରୋ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ।
ଏହି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ