
ଦର୍ଶକଙ୍କ ସୁରକ୍ଷାକୁ ଜଳାଞ୍ଜଳି ଦେଇ ଭିଆଇପିଙ୍କୁ ଅଗ୍ରାଧିକାର ଦେଉଛନ୍ତି ସରକାର
ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ବାଲିଯାତ୍ରା ନିଜ ଗାରିମା ହରାଉଛି
ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) କଟକର ଐତିହାସିକ ବାଲିଯାତ୍ରା ପରିଚାଳନାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପ୍ରତି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏହି ଐତିହାସିକ ବାଲିଯାତ୍ରା ଆନନ୍ଦ ଓ ଗୌରବର ଉତ୍ସ, କିନ୍ତୁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଏହି ଉତ୍ସ ଆଜି ମରଣଯନ୍ତା ପାଲଟିଥିବା କହି ସରକାରଙ୍କୁ ତାତ୍ସଲ୍ୟ କରିଛି ବିଜେଡି ।
ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବାଲିଯାତ୍ରାରେ ଦର୍ଶକଙ୍କ ମୃତୁ୍ୟ ହେବା ଅତ୍ୟନ୍ତ ଦୁଃଖଦାୟକ । ସୁରକ୍ଷା ବ୍ୟବସ୍ଥାରେ ବିଫଳତା ଓ ଯଥାର୍ଥ ପ୍ରସ୍ତୁତି ଅଭାବରୁ ଏହି ଅକାଳ ମୃତୁ୍ୟ ଘଟିଛି । ଏହି ମୃତୁ୍ୟ ପାଇଁ ସରକାର ଦାୟୀ । ଜରୁରୀ ପରିସ୍ଥିତିରେ ଚିକିତ୍ସା ଉପଲବ୍ଧ କରାଇବାରେ ସରକାର ବିଫଳ ହୋଇଛନ୍ତି । ଏହା ସାଧାରଣ ଲୋକଙ୍କ ଜୀବନ ପ୍ରତି ଘୋର ଅବହେଳାର ସ୍ପଷ୍ଟ ପରିଚୟ । ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଦର୍ଶକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଦର୍ଶକ ମାନଙ୍କୁ ଲମ୍ୱା ଧାଡ଼ିରେ ଠିଆ କରାଇ ଭିଭିଆଇପି ଓ ଭିଆଇପିଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଡବଲ ଇଞ୍ଜିନ ସରକାର ଦର୍ଶକଙ୍କ ସୁରକ୍ଷାକୁ ଜଳାଞ୍ଜଳି ଦେଇ ଭିଭିଆଇପି ଓ ଭିଆଇପିଙ୍କୁ ଅଗ୍ରାଧିକାର ଦେଉଛନ୍ତି । ବାଲିଯାତ୍ରା ଭଳି ଐତିହାସିକ ଉତ୍ସବକୁ ସରକାର ଏଭଳି ଅଯୋଗ୍ୟ ପରିଚାଳନା ଦ୍ୱାରା କଳଙ୍କିତ କରିବା ଲଜ୍ଜାଜନକ ଓ ନିନ୍ଦନୀୟ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଦୋଳିରୁ ପଡ଼ି ଯୁବକଙ୍କ ମୃତୁ୍ୟ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ଆମ୍ୱୁଲାନ୍ସ ଓ ଜରୁରୀ ଚିକିତ୍ସା ବ୍ୟବସ୍ଥାର ବିଫଳତା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ସାଧାରଣ ଲୋକଙ୍କ ପାଇଁ ସମାନ ସୁବିଧା ସୁନିଶ୍ଚିତ କରାଯିବ ସହ ଭିଆଇପି ଭେଦଭାବ ବନ୍ଦ କରାଯାଉ । ଐତିହାସିକ ବାଲିଯାତ୍ରାକୁ ଆସୁଥିବା ପ୍ରତିଟି ଦର୍ଶକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ ନିର୍ବାହ କରନ୍ତୁ । ସରକାର ଯଦି ଏହି ବିଫଳତା ପାଇଁ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଦର୍ଶକଙ୍କ ସ୍ୱାର୍ଥକୁ ଭୁଲି ସରକାର ଯଦି ଭିଭିଆଇପି ଓ ଭିଆଇପିଙ୍କୁ ପ୍ରାଧାନ୍ୟ ଦେବେ, ତେବେ ଏହା ବିରୋଧରେ ବିଜୁ ଜନତା ଦଳ ସ୍ୱର ଉତ୍ତୋଳନ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା