
ମାମଲାର ଚୂଡ଼ାନ୍ତ ରାୟ ନ ଆସିବା ଯାଏଁ ଏମ୍ସିଏଲ୍ ସହ ଶିଳ୍ପ ସମ୍ପର୍କ ରଖିବା ମନା
ଝାରସୁୁଗୁଡା , 27 ନଭେମ୍ବର (ହି.ସ.)ମହାନଦୀ କୋଲ୍ ମଜଦୁର ସଂଘର ନେତୃତ୍ୱକୁ ନେଇ ଚାଲିଥିବା ବିବାଦରେ ସମ୍ବଲପୁର ବରିଷ୍ଠ ସିଭିଲ୍ ଜଜ୍ଙ୍କ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଜାରି କରିଛନ୍ତି। ଏହି ଆଦେଶ ଅନୁଯାୟୀ, ବିବାଦରେ ସମ୍ପୃକ୍ତ ଦୁଇ ନେତା କ୍ଷୀରୋଦ ଚନ୍ଦ୍ର ବାରିକ ଓ ଶଙ୍କର ପ୍ରସାଦ ବେହେରାଙ୍କୁ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ସହ କୌଣସି ପ୍ରକାର ଶିଳ୍ପ ସମ୍ପର୍କ ରଖିବା ସହ ସଂଘର ବ୍ୟାଙ୍କ ଖାତା ପରିଚାଳନା କରିବାରୁ ଅସ୍ଥାୟୀ ଭାବେ ବାରଣ କରାଯାଇଛି।
ସଂଘର ସାଧାରଣ ସମ୍ପାଦିକା ଅଳକା ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି କୋର୍ଟ ଗତ ୬ ତାରିଖରେ ଏହି ଅନ୍ତରୀଣ ନିଷେଧାଜ୍ଞା ଜାରି କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ, ମହାନଦୀ କୋଲ୍ ମଜଦୁର ସଂଘ ଟ୍ରେଡ୍ ୟୁନିଅନ୍ ଅଧିନିୟମ, ୧୯୨୬ ଅନୁଯାୟୀ ପଞ୍ଜୀକୃତ ହୋଇଛି ଏବଂ ୧୯୯୬ ମସିହାରୁ ଏମ୍ସିଏଲ୍ ସହ ଶିଳ୍ପ ସମ୍ପର୍କ ରଖିଆସୁଛି।
ଅନ୍ୟପକ୍ଷରେ, ବିପକ୍ଷ ପକ୍ଷର ନେତାମାନେ ନିଜକୁ ସଂଘର ସଭାପତି ଓ ମହାସଚିବ ବୋଲି ଦାବି କରି ଏମ୍ସିଏଲ୍ ସହ ସମ୍ପର୍କ ରଖିବା ସହ ସଂଘର କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିବା ଆବେଦନରେ ଅଭିଯୋଗ କରାଯାଇଥିଲା।
ଉଭୟ ପକ୍ଷଙ୍କ ଯୁକ୍ତି ଓ ଦାଖଲ କରାଯାଇଥିବା ଦସ୍ତାବିଜ୍ଗୁଡ଼ିକର ଯାଞ୍ଚ ପରେ କୋର୍ଟ ମତ ଦେଇଛନ୍ତି ଯେ, ଅଲ୍ ଓଡ଼ିଶା କୋଲ୍ ମାଇନ୍ସ ଲେବର ଫେଡେରେସନ୍ ଏକ ଅଣପଞ୍ଜୀକୃତ ସଂଗଠନ ହୋଇଥିଲେ ମଧ୍ୟ ଏହାକୁ ହିନ୍ଦ ମଜଦୁର ସଭାର ଅନୁବନ୍ଧନ ମିଳିଛି। ବର୍ତ୍ତମାନର ପରିସ୍ଥିତିରେ ପଞ୍ଜୀକୃତ ଟ୍ରେଡ୍ ୟୁନିଅନ୍ ସପକ୍ଷରେ ସୁବିଧାର ସନ୍ତୁଳନ ରହିଥିବା କୋର୍ଟ ଉଲ୍ଲେଖ କରିଛନ୍ତି।
ତେଣୁ ମୁଖ୍ୟ ମକଦ୍ଦମାର ଚୂଡ଼ାନ୍ତ ଫଇସଲା ନ ହେବା ପର୍ଯ୍ୟନ୍ତ ଦୁଇ ନେତାଙ୍କୁ ଏମ୍ସିଏଲ୍ ସହ ଶିଳ୍ପ ସମ୍ପର୍କ ରଖିବା ଏବଂ ସଂଘର ବ୍ୟାଙ୍କ ଖାତା ପରିଚାଳନା କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ଆଦେଶ ଅନ୍ତରୀଣ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସଂଘର ପ୍ରକୃତ ନେତୃତ୍ୱ କାହା ହାତରେ ରହିବ ଏବଂ ପଦାଧିକାରୀଙ୍କ ନିର୍ବାଚନର ବୈଧତା କ’ଣ, ସେ ସମ୍ପର୍କରେ ମୁଖ୍ୟ ମକଦ୍ଦମାର ଶୁଣାଣି ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ