
ମୁଜାଫରାବାଦ (ପିଓକେ), ୨୭ ନଭେମ୍ବର (ହି.ସ.)। ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀର (ପିଓକେ) ସରକାର ରାୱଲକୋଟର ମେୟର ଅବଦୁଲ ନଇମ ଖାନଙ୍କୁ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ଆଧାରରେ ପଦରୁ ହଟାଇ ଦେଇଛନ୍ତି। ନିଷିଦ୍ଧ ସଂଗଠନ ଜଏଣ୍ଟ ଅୱାମୀ ଆକ୍ସନ କମିଟି (ଜେଏଏସି)ର କର୍ମୀ ଭାବେ ତାଙ୍କ ନାମକୁ ଆତଙ୍କବାଦ ନିରୋଧୀ ଆଇନ (ଏଟିଏ)ର ଚତୁର୍ଥ ଅନୁସୂଚୀରେ ସାମିଲ କରାଯାଇଛି। ଏହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ପାଇଁ ବିଦେଶୀ ଏଜେଣ୍ଡାରେ କାମ କରୁଥିବା ତତ୍ତ୍ୱଗୁଡ଼ିକୁ ପାକିସ୍ତାନର କେନ୍ଦ୍ର ସରକାର ଦାୟୀ କରିଛନ୍ତି।
ଡନ୍ର ରିପୋର୍ଟ ଅନୁଯାୟୀ, ସରକାର ଗୁରୁବାର ରାୱଲକୋଟ ମେୟର ଅବଦୁଲ ନଇମ ଖାନଙ୍କୁ ପଦରୁ ହଟାଇବା ସହ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ନଗରପାଳିକାରୁ ତାଙ୍କ ସଦସ୍ୟତା ମଧ୍ୟ ରଦ୍ଦ କରିଛନ୍ତି। ସ୍ଥାନୀୟ ସରକାର ଓ ଗ୍ରାମୀଣ ବିକାଶ ବିଭାଗର ବିଜ୍ଞପ୍ତି ଅନୁଯାୟୀ, 'ଲୋକାଲ ଗଭର୍ଣ୍ଣମେଣ୍ଟ ଆକ୍ଟ, ୧୯୯୦'ର ଧାରା ୨୩(୨) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଜେକେ ଗୃହ ବିଭାଗର ନଭେମ୍ବର ୧୫ ତାରିଖର ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ, ଆତଙ୍କବାଦ ନିରୋଧୀ ଆଇନର ଧାରା ୧୬ ଅନୁସାରେ ଖାନଙ୍କ ନାମକୁ ଚତୁର୍ଥ ଅନୁସୂଚୀରେ ସାମିଲ କରାଯାଇଥିବା ବ୍ୟକ୍ତିଙ୍କ ତାଲିକାରେ ରଖାଯାଇଛି।
ଏହି ମଧ୍ୟରେ ପିଏମଏଲ-ଏନ୍ ନେତୃତ୍ୱାଧୀନ ପିଓକେ ସରକାର ୧୫ ଅରବ ଟଙ୍କାର ୧୦୦ ଦିନିଆ କାର୍ଯ୍ୟଯୋଜନା ଉପସ୍ଥାପନ କରିଛନ୍ତି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ, ପର୍ଯ୍ୟଟନ ଓ ନାଗରିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ କେତେକ ଦୀର୍ଘମିଆଦୀ ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ପ୍ରମୁଖ ଯୋଜନା ମଧ୍ୟରେ ୭୦ଟି ମୋବାଇଲ ହସ୍ପିଟାଲ ୟୁନିଟ୍, ୭୫ଟି ଇଲେକ୍ଟ୍ରିକ୍ ବସ୍ ଏବଂ ପାଞ୍ଚଟି 'ଦାନିଶ ସ୍କୁଲ' ସ୍ଥାପନ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଇଫ୍ତିଖାର ଗିଲାନୀ କହିଛନ୍ତି ଯେ, ଅଟକି ରହିଥିବା 'ଜାଗରନ-୨' ଜଳବିଦ୍ୟୁତ୍ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା