
- ବଜେଟ୍ ପୂର୍ବ ପ୍ରସ୍ତୁତି ବୈଠକରେ କ୍ଷେତ୍ରଭିତ୍ତିକ ଏଆଇ ମଡେଲ୍ ଆଣିବା, ଭଡ଼ା ଘରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। କେନ୍ଦ୍ରୀୟ ବଜେଟ୍ ୨୦୨୭-୨୮ ପ୍ରସ୍ତୁତି ଅନ୍ତର୍ଗତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୩ଟି କ୍ଷେତ୍ରର ୨୦୦ରୁ ଅଧିକ ହିତାଧିକାରୀଙ୍କ ସହ ବଜେଟ୍ ପୂର୍ବ ପରାମର୍ଶ ବୈଠକ ଶେଷ କରିଛନ୍ତି। ବଜେଟ୍ ପୂର୍ବ ବୈଠକଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ହୋଇଛି।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବଜେଟ୍ ୨୦୨୭-୨୮ ପ୍ରସ୍ତୁତି ପାଇଁ ବ୍ୟାପକ ବଜେଟ୍ ପୂର୍ବ ପରାମର୍ଶ ପ୍ରକ୍ରିୟା ଶେଷ ହୋଇଛି। ଏହି ପରାମର୍ଶ ବୈଠକରେ ୧୩ଟି କ୍ଷେତ୍ର ଓ ବିଭିନ୍ନ ହିତାଧିକାରୀ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ହିତାଧିକାରୀ ଭାଗ ନେଇଥିଲେ।
ମନ୍ତ୍ରଣାଳୟ କହିଛି ଯେ, ଏହି ବୈଠକଗୁଡ଼ିକରେ କ୍ଷେତ୍ରଭିତ୍ତିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଡେଲ୍ ବିକଶିତ କରିବା, ସୁଲଭ ଆବାସ ବ୍ୟବସ୍ଥା ପାଇଁ ଭଡ଼ା ଘରକୁ ପ୍ରୋତ୍ସାହନ ଦେବା ଏବଂ ନିଯୁକ୍ତି ଓ ଉଦ୍ୟୋଗିତାର ସୁଯୋଗ ସୃଷ୍ଟି ପାଇଁ ମଧ୍ୟମ ଓ ଛୋଟ ସହରଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ସମେତ ଅନେକ ପ୍ରସ୍ତାବ ଦିଆଯାଇଛି।
ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ବଜେଟ୍ ପୂର୍ବ ବୈଠକରେ ହିତାଧିକାରୀମାନେ ଜୈବ ସାର ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଆଧାରିତ ଉନ୍ନତ କୃଷି ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଗ୍ରାମାଞ୍ଚଳର ଯୁବକ ଓ ଶ୍ରମିକମାନଙ୍କୁ କୃଷି ବ୍ୟତୀତ ଅନ୍ୟ ଉତ୍ପାଦନମୂଳକ ନିଯୁକ୍ତି ଏବଂ ସ୍ଥାୟୀ ଉଦ୍ୟୋଗ ଦିଗରେ ଆଗେଇ ନେବା ପାଇଁ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା