

ସମ୍ବଲପୁର, ୨୭, ନଭେମ୍ବର (ହି.ସ.) ସୌର ପ୍ୟାନେଲ୍ ଓ ଇନଭର୍ଟର ଯୋଗାଣ କରିବାର ପ୍ରତିଶ୍ରୁତି ଦେଇ ୭ ଲକ୍ଷ ୫୦ ହଜାର ଟଙ୍କା ଠକେଇ ଘଟଣାରେ ମହାରାଷ୍ଟ୍ରର ଦୁଇ ଅଭିଯୁକ୍ତଙ୍କୁ ଏକ ଦିନିଆ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିଛି ସମ୍ବଲପୁର ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୋଲିସ। ଅଭିଯୁକ୍ତ ଦ୍ୱୟ ହେଲେ ମହାରାଷ୍ଟ୍ରର ନାସିକ ନିବାସୀ ପ୍ରଣବ ପ୍ରଦୀପ ବାରାହାଟେ (୨୭) ଓ ରାହୁଲ ଦିଲୀପରାଓ ଆହେର (୩୬)।
ପୋଲିସ ସୂଚନା ଅନୁଯାୟୀ, ରେଙ୍ଗାଲିର ମେସର୍ସ ଏସ୍ଏବି ଏଣ୍ଟରପ୍ରାଇଜେସ୍ର ମାଲିକ ଅଶୋକ କୁମାର ଭୋଇଙ୍କ ଅଭିଯୋଗ ଆଧାରରେ ୨୩ ସେପ୍ଟେମ୍ବର ୨୦୨୬ରେ ସମ୍ବଲପୁର ସାଇବର ଥାନାରେ ୩୫/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, 'ସନ୍ ରୁଟ୍ ଏନର୍ଜି ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍' ନାମରେ ଏକ ନକଲି ସଂସ୍ଥା ଖୋଲି ଠକମାନେ ସୌର ପ୍ୟାନେଲ୍ ଓ ଇନଭର୍ଟର ଯୋଗାଣ କରିବାର ଲୋଭ ଦେଖାଇଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ୧୩ ଓ ୧୫ ଅଗଷ୍ଟ ୨୦୨୬ରେ ନିଜ କମ୍ପାନୀର ଏସ୍ବିଆଇ ଆକାଉଣ୍ଟରୁ ସିଏସ୍ବି ବ୍ୟାଙ୍କର ଏକ ଆକାଉଣ୍ଟକୁ ମୋଟ ୭ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ଠକମାନେ ଫୋନ୍ ଉଠାଇବା ବନ୍ଦ କରିଦେବା ସହ ପ୍ରତିଶ୍ରୁତି ମୁତାବକ ସାମଗ୍ରୀ ଯୋଗାଇ ନଥିଲେ।
ତଦନ୍ତ ସମୟରେ ଏହି ନକଲି ବ୍ୟବସାୟିକ ସଂସ୍ଥା ଏବଂ ଏହା ସହ ଜଡ଼ିତ ଆର୍ଥିକ ଓ ଯୋଗାଯୋଗ ମାଧ୍ୟମ ପରିଚାଳନାରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ଏହି ଦୁଇ ଅଭିଯୁକ୍ତ ସମାନ କାର୍ଯ୍ୟପ୍ରଣାଳୀ ଓ ସମ୍ବଲପୁର ଠକେଇରେ ବ୍ୟବହୃତ ସମାନ ସିଏସ୍ବି ବ୍ୟାଙ୍କ ଆକାଉଣ୍ଟ ସଂପୃକ୍ତ ଥିବା ବାଲେଶ୍ୱର ସାଇବର ଥାନା କେସ୍ ନଂ ୩୬/୨୬ରେ ପୂର୍ବରୁ ଗିରଫ ହୋଇଥିଲେ। ସେମାନେ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା କାରାଗାରରେ ଥିଲେ।
ସମ୍ପୃକ୍ତ ଅଦାଲତଙ୍କ ଅନୁମତି ପରେ ସମ୍ବଲପୁର ପୋଲିସ ୨୬ ନଭେମ୍ବରରେ ଉଭୟଙ୍କୁ ଏକ ଦିନିଆ ପୋଲିସ ରିମାଣ୍ଡରେ ଆଣିଥିଲା। ପଚରାଉଚରା ସମୟରେ ଠକେଇ ଟଙ୍କାର ଅର୍ଥ କାରବାର ଓ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର, ୧୨ ଅଗଷ୍ଟ ୨୦୨୬ର ଜାଲ୍ ପ୍ରୋଫର୍ମା ଇନଭଏସ୍ ପ୍ରସ୍ତୁତି ଏବଂ 'ସ୍ନେହା', 'ତୋହିଦ୍ ସାଇଖ୍' ଓ 'ବିବେକ ମିଶ୍ର' ଭଳି ଛଦ୍ମନାମରେ କାର୍ଯ୍ୟ କରୁଥିବା ସହଯୋଗୀଙ୍କ ସମ୍ପର୍କରେ ପଚରାଉଚରା କରାଯାଇଥିଲା। ସେମାନଙ୍କ ବୟାନ ରେକର୍ଡ କରାଯାଇଛି।
ରିମାଣ୍ଡ ଅବଧି ଶେଷ ହେବା ପରେ ୨୭ ନଭେମ୍ବରରେ ଉଭୟଙ୍କୁ ସମ୍ବଲପୁର ସଦର ଏସ୍ଡିଜେଏମ୍ ଅଦାଲତରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଇବା ପାଇଁ ନିବେଦନ କରାଯାଇଛି।
ଏହି ସାଇବର ଠକେଇ ରାକେଟ୍ର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା, ଠକେଇ ଟଙ୍କାର ସନ୍ଧାନ କରିବା ଏବଂ ଏହା ସହ ଜଡ଼ିତ ଡିଜିଟାଲ୍ ପ୍ରମାଣ ସଂଗ୍ରହ ପାଇଁ ସମ୍ବଲପୁର ସାଇବର ପୋଲିସର ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ