
ଉଜ୍ଜୟିନୀ, ୨୭ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ଶୁକ୍ରବାର ସକାଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏବଂ ମଧ୍ୟପ୍ରଦେଶ ଜନ ଅଭିଯାନ ପରିଷଦର ଉପାଧ୍ୟକ୍ଷ ମୋହନ ନାଗର ବାବା ମହାକାଳଙ୍କ ଭସ୍ମ ଆରତିରେ ସାମିଲ ହୋଇ ଦର୍ଶନ କରିଛନ୍ତି। ଉଭୟ ପ୍ରାୟ ଦୁଇ ଘଣ୍ଟା ଧରି ନନ୍ଦୀ ହଲ୍ରେ ବସି ଆରତିରେ ଭାଗ ନେଇଥିଲେ ଏବଂ ଦେଶ ଓ ରାଜ୍ୟର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏବଂ ମୋହନ ନାଗର ଶୁକ୍ରବାର ଭୋର୍ରୁ ବାବା ମହାକାଳଙ୍କ ଭସ୍ମ ଆରତିରେ ସାମିଲ ହେବା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସକାଳ ୪ଟାରୁ ୬ଟା ପର୍ଯ୍ୟନ୍ତ ଉଭୟ ମନ୍ଦିରରେ ରହି ନନ୍ଦୀ ହଲ୍ରେ ବସି ଭଗବାନ ମହାକାଳଙ୍କ ଆରାଧନା କରିଥିଲେ। ମୋହନ ନାଗରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।
ଦର୍ଶନ ପରେ ମୋହନ ନାଗର କହିଥିଲେ ଯେ, ଭସ୍ମ ଆରତି ସମୟରେ ଦୁଇ ଘଣ୍ଟା କେତେବେଳେ ବିତିଗଲା ତାହା ଜଣାପଡ଼ିଲା ନାହିଁ। ବାବା ମହାକାଳଙ୍କ ଦର୍ଶନ କରି ମନ ଆନନ୍ଦରେ ଭରି ଉଠିଛି। ସେ ମନ୍ଦିରର ପୂଜାପଦ୍ଧତି ଓ ବ୍ୟବସ୍ଥାର ପ୍ରଶଂସା କରି କହିଥିଲେ ଯେ, ଏଠାକାର ସୁବ୍ୟବସ୍ଥା ଓ ଧାର୍ମିକ ପରିବେଶ ପ୍ରତ୍ୟେକଙ୍କୁ ଆକର୍ଷିତ କରିଥାଏ। ସେ ବାବା ମହାକାଳଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ।
ଅନ୍ୟପକ୍ଷରେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ କହିଥିଲେ ଯେ, ପରମାତ୍ମାଙ୍କ କୃପାରୁ ବାବା ମହାକାଳଙ୍କ ଭସ୍ମ ଆରତିରେ ସାମିଲ ହେବାର ସୌଭାଗ୍ୟ ମିଳିଛି। ସେ ମନ୍ଦିରର ବ୍ୟବସ୍ଥାକୁ ସନ୍ତୋଷଜନକ ବୋଲି କହିବା ସହ ଭଗବାନ ଶିବଙ୍କ ନିକଟରେ ନିଜ ଅଞ୍ଚଳ ସମେତ ଦେଶର ସମସ୍ତ ଲୋକଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା