
ଭଦ୍ରକ, ୨୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାରେ ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଅଭିଯାନ ଜୋରଦାର ହୋଇଛି। ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ୭୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ଓ ଗୋଟିଏ ବାଇକ୍ ଜବତ କରିଛି ବିଭାଗ। ଏହି ଘଟଣାରେ ମୋଟ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ, ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସୁଚରିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ ପୁରୁଣା ବଜାର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ଆଧାରରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏନେଇ ୪୩୫ ନମ୍ବର କେସ୍ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ସେହିପରି ଭ୍ରାମ୍ୟମାଣ ଅବକାରୀ ବିଭାଗର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ଓ ଗୋଟିଏ ବାଇକ୍ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହି ଚଢ଼ାଉରେ ଇନ୍ସପେକ୍ଟର ରାଜକିଶୋର ଜେନା, ସବ୍ ଇନ୍ସପେକ୍ଟର ନଟବର ମଲ୍ଲିକଙ୍କ ସମେତ ମିଥୁନ ଜେନା, ବିଭୁ ପ୍ରସାଦ ମଲ୍ଲିକ, ଅଜୟ କୁମାର ଦାସ ଓ ସୁଭ୍ରାମିନ ଦାସ ପ୍ରମୁଖ ସାମିଲ ଥିଲେ। ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ