
ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ସହ 'ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬' ପାଳନ ଅବସରରେ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ବିଭିନ୍ନ ଏସଏନସିୟୁ ଟିମ୍ ଓ ନବଜାତକ ଆମ୍ବାସାଡରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଶିଶୁ ମୃତ୍ୟୁ ହାର (ଆଇଏମଆର) ଓ ମାତୃ ମୃତ୍ୟୁ ହାର (ଏମଏମଆର) କମାଇବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଆରୋଗ୍ୟ ମନ୍ଦିରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତିଭୂମି ଓ ଏସଏନସିୟୁ /ଏନବିଏସୟୁ ସେବାର ବିସ୍ତାର ଯୋଗୁଁ ରାଜ୍ୟକୁ ଜାତୀୟ ସ୍ତରରେ ପ୍ରାୟ ୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମିଳିବାକୁ ଯାଉଛି, ଯାହାକି ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ।
ଅତ୍ୟନ୍ତ କମ୍ ଓଜନର (୫୦୦-୬୦୦ ଗ୍ରାମ) ନବଜାତ ଶିଶୁମାନଙ୍କୁ ମଧ୍ୟ ଆମର ଏସଏନସିୟୁ ଏବଂ ଏନବିଏସୟୁ କେନ୍ଦ୍ରଗୁଡ଼ିକରେ ସଫଳତାର ସହ ନୂଆ ଜୀବନ ଦିଆଯାଇପାରୁଛି। ଗର୍ଭାବସ୍ଥାରୁ ଆରମ୍ଭ କରି ୩ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁର ସାମଗ୍ରିକ ମାନସିକ ଓ ଶାରୀରିକ ବିକାଶ ପାଇଁ ମାଆ ଓ ଶିଶୁଙ୍କୁ ଉତମ ପୋଷଣ ଯୋଗାଇବା ସହ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଥିବା ଅନ୍ଧବିଶ୍ୱାସ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆମର ଆଶାକର୍ମୀ, ନର୍ସିଂ ଅଫିସର, ଶିଶୁରୋଗ ବିଶେଷଜ୍ଞ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ସେବା ହିଁ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ, ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ମିଶନ ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା