
ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ପୋଲିସ ଅଧିକାରୀଙ୍କ ବୃତଗତ ଦକ୍ଷତା ବୃଦ୍ଧି ଏବଂ ଆଇନଗତ ପ୍ରକ୍ରିୟାର ସଠିକ୍ ଅନୁପାଳନ ନିମନ୍ତେ ଶୁକ୍ରବାର କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ “ଆରେଷ୍ଟ ମୋଡାଲିଟିଜ୍ ଆଣ୍ଡ ପ୍ରୋସିଡ୍ୟୁର ଫର କଣ୍ଡକ୍ଟିଂ ଆରେଷ୍ଟ ” ଶୀର୍ଷକରେ ଏକ ଅର୍ଦ୍ଧଦିବସୀୟ ଇନ୍-ସର୍ଭିସ୍ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ପୋଲିସ କମିଶନର ଡଃ ଏସ୍. ଦେବ ଦତ ସିଂହ ଏବଂ ଅତିରିକ୍ତ ପୋଲିସ କମିଶନର ଡଃ କନୱର ବିଶାଲ ସିଂହ ଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନରେ ବିଭିନ୍ନ ଆଇନଗତ ଓ ପ୍ରାୟୋଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା।
ଭୁବନେଶ୍ୱର ଡିସିପି ଡଃ ସରବଣା ବିବେକ ଏମ୍. – ଗିରଫଦାରୀର ଆଇନଗତ ଢାଂଚା ଓ କ୍ଷମତା ଉପରେ ତାଲିମ୍ ପ୍ରଦାନ କରିଥିବା ବେଳେ ଆଡିସନାଲ ଡିସିପି (ଏସସିୟୁ) ସ୍ୱରାଜ ଦେବତା, – ଗିରଫଦାରୀର ପଦ୍ଧତି ଓ ପ୍ରକ୍ରିୟାଗତ ପଦକ୍ଷେପ (ପ୍ରାୟୋଗିକ ଅଧିବେଶନ) ଏବଂ ଗିରଫ ମେମୋରେ ଗିରଫଦାରୀର କାରଣ ଉଲ୍ଲେଖର ଅନିବାର୍ଯ୍ୟତା ଏବଂ ଏସିପି (ଆଇଟି ଆଣ୍ଡ ଏସଏମ ସେଲ ) ଅକ୍ଷୟ କୁମାର ନାୟକ, – ଗିରଫଦାରୀ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟ ଓ ଆଇନଗତ ସୁରକ୍ଷା ବ୍ୟବସ୍ଥା ଉପରେ ମତାମତ ରଖିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଅଧିକାରୀମାନଙ୍କୁ ଆଇନସମ୍ମତ, ସ୍ୱଚ୍ଛ ଓ ଦାୟିତ୍ୱପୂର୍ଣ୍ଣ ଗିରଫଦାରୀ ପ୍ରକ୍ରିୟା ସମ୍ପାଦନ ପାଇଁ ଅଧିକ ସଚେତନ ଓ ଦକ୍ଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା