ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ପୂର୍ବ ତଟ ରେଳପଥର ଉଲ୍ଲେଖନୀୟ ଅଗ୍ରଗତି
ଭୁବନେଶ୍ୱର , 27 ନଭେମ୍ବର (ହି.ସ.) ସବୁଜ ଶକ୍ତି ଏବଂ ସ୍ଥାୟୀ ରେଳ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ପୂର୍ବ ତଟ ରେଳପଥ ନିଜ ଅଧୀନସ୍ଥ ଅଞ୍ଚଳରେ ମୋଟ ୨୦.୮୧ ମେଗାୱାଟ୍ ପିକ୍ କ୍ଷମତା ବିଶିଷ୍ଟ ସୌର ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନ କରିଛି। ଏହି ସୌର ବିଦ୍ୟୁତ୍ ପ୍ଲାଣ୍ଟଗୁଡ
ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ପୂର୍ବ ତଟ ରେଳପଥର ଉଲ୍ଲେଖନୀୟ ଅଗ୍ରଗତି


ଭୁବନେଶ୍ୱର , 27 ନଭେମ୍ବର (ହି.ସ.) ସବୁଜ ଶକ୍ତି ଏବଂ ସ୍ଥାୟୀ ରେଳ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ପୂର୍ବ ତଟ ରେଳପଥ ନିଜ ଅଧୀନସ୍ଥ ଅଞ୍ଚଳରେ ମୋଟ ୨୦.୮୧ ମେଗାୱାଟ୍ ପିକ୍ କ୍ଷମତା ବିଶିଷ୍ଟ ସୌର ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନ କରିଛି। ଏହି ସୌର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକ ୨୨୫ଟି ରେଳ ଷ୍ଟେସନ, ୨୫୯ଟି ସେବା ଭବନ, ୧୨୦ଟି ଲେଭଲ୍ କ୍ରସିଂ ଗେଟ୍ ଏବଂ ୧,୪୪୦ଟି ରେଳବାଇ ଆବାସିକ କଲୋନୀରେ ସ୍ଥାପନ କରାଯାଇଛି। ଏହାଦ୍ୱାରା ଶକ୍ତି ସଂରକ୍ଷଣ ସହିତ ପାରମ୍ପରିକ ବିଦ୍ୟୁତ୍ ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟତା ମିଳୁଛି।

ପୂର୍ବ ତଟ ରେଳପଥ ଅଧୀନରେ ମୋଟ ସ୍ଥାପିତ ସୌର ଶକ୍ତି କ୍ଷମତା ମଧ୍ୟରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ୧୪,୦୪୨.୮୭ କିଲୋୱାଟ୍ ପିକ୍ , ସମ୍ବଲପୁର ମଣ୍ଡଳରେ ୪,୩୬୪.୨୦ କିଲୋୱାଟ୍ ପିକ୍, ରାୟଗଡ଼ା ମଣ୍ଡଳରେ ୧,୮୧୧.୨୨ କିଲୋୱାଟ୍ ପିକ୍ ଏବଂ ମଞ୍ଚେଶ୍ୱରସ୍ଥିତ କ୍ୟାରେଜ୍ ଆଣ୍ଡ ରିପେୟାର ୱାର୍କସପ୍ରେ ୫୯୨.୪୮ କିଲୋୱାଟ୍ ପିକ୍ ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଏହାଦ୍ୱାରା ମୋଟ ସ୍ଥାପିତ କ୍ଷମତା ୨୦,୮୧୦.୭୭ କିଲୋୱାଟ୍ ପିକ୍ରେ ପହଞ୍ଚିଛି।

ପୂର୍ବତଟ ରେଳପଥ ୧୮.୨୫ ମେଗାୱାଟ୍ ପିକ୍ ର ଛାତ ଉପରେ ସୌର ଶକ୍ତି ସ୍ଥାପନ ଲକ୍ଷ୍ୟକୁ ଅତିକ୍ରମ କରି ୧୮.୪୯ ମେଗାୱାଟ୍ ପିକ୍ ହାସଲ କରିଛି; ଯାହା ରେଳ ପ୍ରତିଷ୍ଠାନଗୁଡ଼ିକରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ବ୍ୟାପକ କରିବା ଦିଗରେ ଏହାର ନିରନ୍ତର ପ୍ରୟାସକୁ ଦର୍ଶାଉଛି।

ସୌର ଶକ୍ତି ଉତ୍ପାଦନ ରେଳ ଷ୍ଟେସନ, ସେବା ଭବନ, ଲେଭଲ୍ କ୍ରସିଂ ଗେଟ୍ ଏବଂ ରେଳବାଇ ଆବାସିକ କଲୋନୀ ପରିସରର ବିଦ୍ୟୁତ୍ ଆବଶ୍ୟକତା ପୂରଣରେ ଉଲ୍ଲେଖନୀୟ ଯୋଗଦାନ ଦେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥରେ ସ୍ଥାପିତ ସୌର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକରୁ ୧,୨୨,୪୩,୪୪୨ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥିବାବେଳେ ଏଥିରୁ ପ୍ରାୟ ୮.୩୪ କୋଟି ଟଙ୍କାର ସଞ୍ଚୟ ହୋଇଛି। ସେହିପରି, ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଅକ୍ଟୋବର ମାସ ପର୍ଯ୍ୟନ୍ତ ୯୦,୮୮,୭୪୧ ୟୁନିଟ୍ ସୌର ବିଦ୍ୟୁତ୍ ଉତ୍ପାଦନ ହୋଇଛି, ଯାହାଦ୍ୱାରା ପ୍ରାୟ ୬.୧୦ କୋଟି ଟଙ୍କାର ସଞ୍ଚୟ ହୋଇଛି।

ପୂର୍ବ ତଟ ରେଳପଥ ନିଜ ଅଧୀନସ୍ଥ ସମସ୍ତ ଅଞ୍ଚଳରେ ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ଶକ୍ତି ଦକ୍ଷତା ବୃଦ୍ଧି ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛି। ଏହି ପ୍ରୟାସ ଦ୍ୱାରା ବିଦ୍ୟୁତ୍ ବ୍ୟୟ ହ୍ରାସ, ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ ଏବଂ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା କମାଇବା ସହିତ ପରିବେଶ ଅନୁକୂଳ ଓ ସ୍ଥାୟୀ ରେଳ ପରିଚାଳନାର ଲକ୍ଷ୍ୟ ପୂରଣ ଦିଗରେ ସହାୟତା ମିଳୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande