
ପୁରୀ, ୨୭ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ଆଜି ପୂର୍ବାହ୍ନ୯ଟା ସମୟରେ ଆଇନ ସେବା ପ୍ରାଧିକରଣ ତରଫରୁ ଗଙ୍ଗାଧର ମେହେର ଆଇନ ମହାବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ନାଗରିକ ମାନଙ୍କ ପାଇଁ ରହିଥିବା ଆଇନ ସହାୟତା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମ୍ମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କ'ଣ ଏବଂ ଆଇନସେବା ପାଇବା ପାଇଁ କେଉଁ କେଉଁମାନେ ଯୋଗ୍ୟ, ସେହି ବିଷୟରେ ଆଲୋଚନା କରିବା ସହ ବାଲ୍ୟ ବିବାହ ପ୍ରତିରୋଧ, ମୌଳିକ କର୍ତବ୍ୟ, ପୋକ୍ସୋ ଆଇନ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନାରୁ ସୁରକ୍ଷା ଏବଂ ଶିଶୁ ଅଧିକାର ସମ୍ବନ୍ଧୀୟ ଆଇନଗତ ସଚେତନତା ବିଷୟରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସିନିୟର ସିଭିଲ ଜଜ୍ ପ୍ରଜ୍ଞା ପଣ୍ଡା, ସିଭିଲ ଜଜ୍ ସିଦ୍ଧାର୍ଥ ଶଙ୍କର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଷଦେବ ମହାରଣା, ଆଇନରେ ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ଡକ୍ଟର ଲୋକନାଥ ସୁଆର, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ପ୍ରଦାନ ସହ ଏହା କିପରି ଜନସାଧାରଣ ମାନଙ୍କୁ ସଚେତନ କରାଇବ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ