
- ଶିଶୁଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଦୃଢ଼ ପଦକ୍ଷେପ
- ସାମାଜିକ କ୍ଷେତ୍ର ବିକାଶ ସଂପର୍କିତ ପ୍ରୟାସ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ରାଜ୍ୟର ସାମାଜିକ କ୍ଷେତ୍ରରେ ସେବା ପ୍ରଦାନକୁ ଅଧିକ ଫଳପ୍ରଦ, ଦାୟିତ୍ୱପୂର୍ଣ୍ଣ ଓ ଜନକେନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ‘ପ୍ରୟାସ’ (ସାମାଜିକ କ୍ଷେତ୍ରର ଉନ୍ନତି ପାଇଁ ପ୍ରଗତିଶୀଳ ଶାସନ ପ୍ରୟାସ) ଅଧୀନରେ ଶିକ୍ଷା ଓ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକର ନିୟମିତ ସମୀକ୍ଷା, ତଥ୍ୟଭିତ୍ତିକ ମୂଲ୍ୟାଙ୍କନ ଓ ଲକ୍ଷ୍ୟଭିତିକ ହସ୍ତକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା ।
ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ' କ୍ଷେତ୍ରରେ ଶିଶୁମାନଙ୍କ ଶିକ୍ଷଣ ଫଳାଫଳର ନିୟମିତ ଅନୁଧ୍ୟାନ ପାଇଁ ‘ଶିକ୍ଷଣ ସୋପାନ’ ମାଧ୍ୟମରେ ଶ୍ରେଣୀଭିତିକ ଦକ୍ଷତା ମୂଲ୍ୟାଙ୍କନ କରାଯାଉଛି। ସେପ୍େଟମ୍ବରରୁ ଅକ୍ଟୋବର ୨୦୨୬ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଶିକ୍ଷଣ ଫଳାଫଳରେ ପଠନ ଓ ଲେଖନ ଦକ୍ଷତା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। ଦ୍ୱିତୀୟ ଶ୍ରେଣୀରେ ସଂଖ୍ୟାଜ୍ଞାନ ଦକ୍ଷତାରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ହୋଇଛି। ପ୍ରଥମ ଓ ତୃତୀୟ ଶ୍ରେଣୀରେ ସଂଖ୍ୟାଜ୍ଞାନ, ବିଶେଷକରି ଗଣିତ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ଶବ୍ଦଭିତିକ ଗଣିତ ପ୍ରଶ୍ନରେ ଅଧିକ ଗୁରୁତ୍ୱ ଦେବାରକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଶିକ୍ଷଣ ଫଳାଫଳରେ ଉନ୍ନତି ପାଇଁ ଜିଲ୍ଲାସ୍ତରରେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତି, ଦୁର୍ବଳ ପ୍ରଦର୍ଶନ ହେଉଥିବା କ୍ଷେତ୍ରଗୁଡ଼ିକୁ ବିଶେଷ ଧ୍ୟାନ ଦିଆଯିବା, ଉନ୍ନତ ପ୍ରଦର୍ଶନ କରୁଥିବା ଜିଲ୍ଲାର କାର୍ଯ୍ୟଶୈଳୀକୁ ଆବଶ୍ୟକ ସ୍ଥଳେ ଅନୁସରଣ ଓ ପୁନଃଶିକ୍ଷଣ, ଶିକ୍ଷକମାନଙ୍କୁ ଶିକ୍ଷଣ ସାମଗ୍ରୀ ଯୋଗାଣ ଏବଂ ଜିଲ୍ଲା ଓ ଗୋଷ୍ଠୀସ୍ତରୀୟ ଶିକ୍ଷା ସମ୍ବଳ ସଂଯୋଜକମାନଙ୍କ ଦ୍ୱାରା ନିୟମିତ ଶ୍ରେଣୀକକ୍ଷ ପରିଦର୍ଶନ ଉପରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷକମାନେ ଶିକ୍ଷଣ ସାମଗ୍ରୀ, ଅକ୍ଷର ଓ ଗଣିତ ଶିକ୍ଷା କିଟ୍ ଏବଂ ପଠନ ପୁସ୍ତକ ଭଳି ସାମଗ୍ରୀକୁ ଶ୍ରେଣୀକକ୍ଷ ଶିକ୍ଷଣରେ ଉପଯୋଗ କରିବା ସହିତ ନିୟମିତ ମୂଲ୍ୟାଙ୍କନ ଆଧାରରେ ଶିକ୍ଷଣ ପଦ୍ଧତିକୁ ଅଧିକ ଫଳପ୍ରଦ କରିବାକୁ ପରାମର୍ଶ ଦିଆଯାଉଛି। ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପୋଷଣ ଓ ସେବା ପ୍ରଦାନ ସ୍ଥିତିର ମଧ୍ୟ ନିୟମିତ ଅନୁଧ୍ୟାନ କରାଯାଉଛି। ମେ’ରୁ ଅକ୍ଟୋବର ୨୦୨୬ ମଧ୍ୟରେ ଟି୨-ଟି୨ ଶ୍ରେଣୀଭୁକ୍ତ ୨୫୫୭ଟି ଅଙ୍ଗନବାଡ଼ି କେନ୍ଦ୍ର, ୩୦ଟି ଜିଲ୍ଲାରେ ଚିହ୍ନଟ ହୋଇ ଛଅ ମାସର ତଥ୍ୟ ଆଧାରରେ ସମୀକ୍ଷା କରାଯାଇଛି। ଅକ୍ଟୋବର ମାସରେ ଏହି କେନ୍ଦ୍ରଗୁଡ଼ିକରେ ୯୪,୫୭୪ ଜଣ ଶିଶୁଙ୍କ ଓଜନ ଓ ଅନ୍ୟାନ୍ୟ ପୋଷଣ ସମ୍ବନ୍ଧୀୟ ମାପ ନିଆଯାଇଥିଲା। ସମୀକ୍ଷାରୁ ଜଣାପଡ଼ିଛି ଯେ, ଜୁନ୍ମାସରୁ ଅକ୍ଟୋବର ମଧ୍ୟରେ ଗୁରୁତର ପୋଷଣ ସମସ୍ୟା ସମ୍ବନ୍ଧୀୟ ଅଧିକାଂଶ ସୂଚକରେ ଉନ୍ନତି ପରିଲ୍ଲଖିତ ହୋଇଛି। ପୋଷଣ ସେବା ପ୍ରଦାନରେ ମଧ୍ୟ ନିୟମିତ ଅନୁଧ୍ୟାନ ଓ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପୋଷଣ ଅଭାବ ଥିବା ଶିଶୁମାନଙ୍କ ଚିହ୍ନଟ, ନିୟମିତ ଓଜନ ଓ ଉଚ୍ଚତା ମାପ, ମାତୃ ଓ ଶିଶୁ ପୋଷଣ ପରାମର୍ଶ, ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ଏବଂ ଆବଶ୍ୟକ ସ୍ଥଳରେ ଉଚ୍ଚତର ଚିକିତ୍ସା ପାଇଁ ପଠାଇବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
‘ପ୍ରୟାସ’ ଅଧୀନରେ ଏହି ସମୀକ୍ଷା ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ତଥ୍ୟ ଆଧାରରେ ସମସ୍ୟା ଚିହ୍ନଟ କରିବା, ଜିଲ୍ଲା ଓ କ୍ଷେତ୍ରସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ କରିବା, ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଶିକ୍ଷା ଓ ପୋଷଣ ସେବାର ଗୁଣାତ୍ମକ ମାନକୁ ନିରନ୍ତର ଉନ୍ନତ କରିବା। ଶିଶୁମାନଙ୍କ ଶିକ୍ଷଣ ଦକ୍ଷତା ଓ ସ୍ୱାସ୍ଥ୍ୟ-ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ସମସ୍ତ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଜାରି ରହିଛି । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କେବଳ ଶିକ୍ଷଣ କାର୍ଯ୍ୟ ନୁହେଁ, ଶିକ୍ଷାର୍ଥୀଙ୍କ ଶିଖିବାର ଅଗ୍ରଗତିର ନିୟମିତ ମୂଲ୍ୟାୟନ ଓ ଆବଶ୍ୟକ ଅନୁଯାୟୀ ସୁଧାରମୂଳକ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷାର୍ଥୀଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷଣ ପଦ୍ଧତି ଗ୍ରହଣ କରିବା ସହ ଶ୍ରେଣୀକକ୍ଷରେ ଶିକ୍ଷଣକୁ ଅଧିକ ଆକର୍ଷଣୀୟ, ସହଭାଗୀତାମୂଳକ ଓ ଫଳପ୍ରଦ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ପୋଷଣ ସ୍ଥିତିର ନିୟମିତ ନିରୀକ୍ଷଣ, ପୁଷ୍ଟିକର ଖାଦ୍ୟ ପ୍ରଦାନ, ଘର ପରିଦର୍ଶନ ଓ ଅଭିଭାବକଙ୍କ ସହ ସଚେତନତାମୂଳକ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ କ୍ଷେତ୍ରସ୍ତରରେ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ଗୁରୁତ୍ୱ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା