
ଜୟପୁର, ୩ ନଭେମ୍ବର (ହି.ସ.)-ପବିତ୍ର କାର୍ତ୍ତିକ ମାସରେ ଜଗନ୍ନାଥ ମନ୍ଦିରରୁ ଲୁଟ୍। ଯେଉଁ ମନ୍ଦିର ଭକ୍ତଙ୍କ ଆସ୍ଥା, ବିଶ୍ୱାସ ଆଉ ଭାବାବେଗ ସହିତ ଜଡ଼ିତ, ସେହି ପବିତ୍ର ଚନ୍ଦନ ଶ୍ରୀକ୍ଷେତ୍ରକୁ ବି ଛାଡ଼ିଲେନି ଲୁଟେରା। ଠାକୁରଙ୍କ ମୁକୁଟ ଠାରୁ ଆରମ୍ଭ କରି ମା' ଲକ୍ଷ୍ମୀଙ୍କ ସୁନା ଅଳଙ୍କାର, ଏପରିକି ହୁଣ୍ଡିରେ ଥିବା ଭକ୍ତଙ୍କ ଦାନ ଟଙ୍କାକୁ ବି ଲୁଟି ନେଲେ ଦୁର୍ବୃତ୍ତ। ମନ୍ଦିର ଲୁଟ୍ ର ମାଷ୍ଟରମାଇଣ୍ଡ ଟୁନା ହରିଜନ ଗିରଫ ହେବା ପରେ ବି ଥମୁନି ମନ୍ଦିର ଲୁଟ୍। ପୁଣି ଥରେ ଚୋରଙ୍କ ଟାର୍ଗେଟରେ ଚନ୍ଦନ ଶ୍ରୀକ୍ଷେତ୍ର। ବୋରିଗୁମ୍ମା ପୂଜାରିପୁଟ ଜଗନ୍ନାଥ ମନ୍ଦିରରେ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍। ଠାକୁରଙ୍କ ଅଳଙ୍କାର ବି ସୁରକ୍ଷିତ ନୁହେଁ, ତେବେ ମନ୍ଦିରର ସୁରକ୍ଷା କାହା ଭରସାରେ l ପବିତ୍ର ମନ୍ଦିର ପରିସରରେ ଲୁଟେରାଙ୍କ ଆତଙ୍କ। ରାତିର ଅନ୍ଧାରରେ ମନ୍ଦିର ଭିତରକୁ ପଶିଲେ, ଆଉ ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡି ଟଙ୍କା ଲୁଟି ଛୁ ମାରିଲେ। ଏ ଦୃଶ୍ୟ ହେଉଛି ବୋରିଗୁମ୍ମା ବ୍ଲକ ପୂଜାରିପୁଟ ଗାଁର ଚନ୍ଦନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିର ସମେତ ମା' ଲକ୍ଷ୍ମୀ, ମା' ବିମଳା ଓ ଗଣେଶ ମନ୍ଦିରକୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ। ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ମା' ଲକ୍ଷ୍ମୀଙ୍କ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଜଗନ୍ନାଥଙ୍କ ମୁକୁଟ ପର୍ଯ୍ୟନ୍ତ କିଛି ବି ଛାଡ଼ିନାହାନ୍ତି ଲୁଟେରା। ସବୁଠାରୁ ଚିନ୍ତାଜନକ କଥା ହେଉଛି, ରାତିରେ କିଛି ସନ୍ଦିଗ୍ଧ ବ୍ୟକ୍ତି ମନ୍ଦିର ଡେଇଁ ବାହାରକୁ ଯାଉଥିବା ଦେଖିଥିଲେ ଜଣେ ବ୍ୟକ୍ତି। ସନ୍ଦେହ ହେବାରୁ ତୁରନ୍ତ ମନ୍ଦିର ଦ୍ୱାର ଖୋଲି ଦେଖିବା ବେଳକୁ ସବୁକିଛି ଲୁଟ୍ ହୋଇସାରିଥିଲା। ଠାକୁରଙ୍କ ଅଳଙ୍କାର ନାହିଁ, ହୁଣ୍ଡିରେ ଟଙ୍କା ନାହିଁ। ଖାଲି ପଡ଼ିଥିଲା ମନ୍ଦିରର ଭଣ୍ଡାର। ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଲୁଟ୍ ହେବା ପରେ ଭାଙ୍ଗିପଡ଼ିଛନ୍ତି ମନ୍ଦିର କମିଟି ସଦସ୍ୟ ଓ ଭକ୍ତ। ଏହା କେବଳ ସୁନା ରୁପା କିମ୍ବା ଟଙ୍କାର କ୍ଷତି ନୁହେଁ, ବରଂ ହଜାର ହଜାର ଭକ୍ତଙ୍କ ଆସ୍ଥା ଉପରେ ଶକ୍ତ ଆଘାତ। ଘଟଣା ଜଣାପଡ଼ିବା ପରେ ବୋରିଗୁମ୍ମା ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଏହି ଲୁଟ୍ ରେ ସାମିଲ, କେଉଁ ରାସ୍ତାରେ ଆସିଥିଲେ ଲୁଟେରା, ଏହା ପଛରେ କୌଣସି ଯୋଜନାବଦ୍ଧ ଗ୍ୟାଙ୍ଗ୍ କାମ କରୁଛି କି ଏବେ ତାହାର ଖୋଳତାଡ଼ ଚାଲିଛି।ଗୋଟିଏ ପଟେ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଲୁଟ୍, ଅନ୍ୟପଟେ ଭକ୍ତଙ୍କ ଦାନ ଟଙ୍କା ଉପରେ ଲୁଟେରାଙ୍କ ନଜର। ଏହି ଘଟଣା ପରେ ଚନ୍ଦନ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି। ଏବେ ସମସ୍ତଙ୍କ ଗୋଟିଏ ଦାବି, ଲୁଟେରାଙ୍କୁ ତୁରନ୍ତ ଗିରଫ ଏବଂ ଠାକୁରଙ୍କ ଲୁଟ୍ ଅଳଙ୍କାର ତୁରନ୍ତ ଉଦ୍ଧାର କରାଯାଉ l
ହିନ୍ଦୁସ୍ଥାନ ସମାଚାର / ପିକେପି