
ଝାରସୁଗୁଡ଼ା, ୦୩ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହାରୁ ସୋଡ଼ାମାଲ ପର୍ଯ୍ୟନ୍ତ ଯାଇଥିବା ପୂର୍ତ ବିଭାଗ ରାସ୍ତା ଏବେ ଅବହେଳାର ଶିକାର ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଲଟାବୁଦା ଓ ଜଙ୍ଗଲୀ ଗଛଲତା ମାଡ଼ିଯାଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହା ଫଳରେ ଦୁର୍ଘଟଣା ଆଶଙ୍କା ବଢ଼ିବା ସହ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ରାସ୍ତାର ଦୁଇପାର୍ଶ୍ୱରେ ଘଂଚ ଲଟାବୁଦା ମାଡ଼ିଯାଇଥିବାରୁ ଯାନବାହନ ଚାଳକମାନେ ସମ୍ମୁଖରୁ ଆସୁଥିବା ଗାଡ଼ିକୁ ଠିକ୍ ଭାବେ ଦେଖିପାରୁ ନାହାନ୍ତି। ବିଶେଷକରି ରାସ୍ତାର ବିଭିନ୍ନ ବୁଲାଣି ଓ ଅନ୍ଧାରିଆ ସ୍ଥାନରେ ଏହି ସମସ୍ୟା ଅଧିକ ଗୁରୁତର ହେଉଛି। ଫଳରେ ଦୁଇଚକିଆ ଯାନ ଚାଳକଙ୍କଠାରୁ ଆରମ୍ଭ କରି ଚାରିଚକିଆ ଯାନର ଚାଳକମାନେ ମଧ୍ୟ ଦୁର୍ଘଟଣାର ଆଶଙ୍କା ମଧ୍ୟରେ ଯାତାୟାତ କରୁଛନ୍ତି।
ସ୍ଥାନୀୟ ଅଂଚଳରେ ପୂର୍ବରୁ ଏହି ରାସ୍ତାରେ ଏକାଧିକ ଛୋଟବଡ଼ ଦୁର୍ଘଟଣା ଘଟିଥିବା ବେଳେ ଲଟାବୁଦା ସଫା କରାନଗଲେ ଆଗାମୀ ଦିନରେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏଭଳି ସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଏହି ସମସ୍ୟାକୁ ନେଇ ସୋଡ଼ାମାଲ ଅଂଚଳର ପ୍ରେମ ସାଗର ଧୂରୁଆ, ଆଂଚଳିକ ବିକାଶ ପରିଷଦ ସଂଗଠନର ସଭାପତି ଜିତେନ୍ଦ୍ରୀୟ ଧୂରୁଆ, ସାଧାରଣ ସମ୍ପାଦକ ସମ୍ବିତ ନାଏକ ଓ ସ୍ୱରୂପ କିସାନ ପ୍ରମୁଖ ଉଦ୍ୱେଗ ପ୍ରକାଶ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ମାଡ଼ିଥିବା ଲଟାବୁଦାକୁ ତୁରନ୍ତ ସଫା କରିବା ସହ ରାସ୍ତାକୁ ଯାତାୟାତ ଉପଯୋଗୀ କରିବା ପାଇଁ ସେମାନେ ପୂର୍ତ ବିଭାଗ ନିକଟରେ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜେ.କେ. ମେହେରଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ତେବେ ଜନସାଧାରଣଙ୍କ ସୁରକ୍ଷା ସହ ଜଡ଼ିତ ଏହି ସମସ୍ୟା ପ୍ରତି ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଲଟାବୁଦା ସଫେଇ କରାନଗଲେ ଆଗାମୀ ଦିନରେ ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ