ବନ୍ୟା ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣରେ ସହାୟକ ହେଲା ‘ଶକ୍ତିଗାଁ’ ଅଭିଯାନ
୪ ଦିନରେ ୧୦୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଯୋଗାଣ ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ବନ୍ୟା ବିପତିର ଏହି କଠିନ ସମୟରେ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ପହଂଚାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଓରମାସ୍ ର ‘ଶକ୍ତିଗାଁ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗର ମାଧ୍ୟମ ପାଲଟିଛି। ଓରମାସ୍, ଜିଲ୍ଲା ପ୍ରଶାସନ
ବନ୍ୟା ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣରେ ସହାୟକ ହେଲା ‘ଶକ୍ତିଗାଁ’ ଅଭିଯାନ


- ୪ ଦିନରେ ୧୦୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଯୋଗାଣ

ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ବନ୍ୟା ବିପତିର ଏହି କଠିନ ସମୟରେ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ପହଂଚାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଓରମାସ୍ ର ‘ଶକ୍ତିଗାଁ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗର ମାଧ୍ୟମ ପାଲଟିଛି। ଓରମାସ୍, ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ର ସମନ୍ୱିତ ପ୍ରୟାସରେ ଗତ ୪ ଦିନ ମଧ୍ୟରେ ୧୦୦୦ରୁ ଅଧିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ସଂଗ୍ରହ ଓ ଯୋଗାଣ କରାଯାଇଛି।

ଜିଲ୍ଲାର ୧୦ଟି ବ୍ଲକ୍ ଓ ସହରାଂଚଳରେ ବ୍ଲକ୍ ପ୍ରଶାସନ ଦ୍ୱାରା ପରିଚାଳିତ ୨୦୦ରୁ ଅଧିକ ସାମୂହିକ ରୋଷେଇ କେନ୍ଦ୍ରକୁ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଣ ସୁନିଶ୍ଚିତ କରାଯାଇଛି। ଫଳରେ ବିଭିନ୍ନ ଗ୍ରାମ ଓ ବ୍ଲକ୍ ମୁଖ୍ୟାଳୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଗୋଷ୍ଠୀମାନେ ନିରନ୍ତର ଭାବେ ହଜାର ହଜାର ବନ୍ୟା ବିପନ୍ନଙ୍କ ପାଇଁ ଗରମ ଓ ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିପାରୁଛନ୍ତି।

ଏହି ଅଭିଯାନରେ ଓରମାସ୍ ର ସ୍ୱୟଂ ସହାୟକ ଗୋଷ୍ଠୀ ନେଟୱର୍କ ମାଧ୍ୟମରେ ବିଭିନ୍ନ ଅଂଚଳର ଆବଶ୍ୟକତା ଚିହ୍ନଟ କରାଯାଇ ଗ୍ୟାସ୍ ସିଲିଣ୍ଡରର ଆବଶ୍ୟକତା ଅନୁଯାୟୀ ଯୋଗାଣ ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ୍ ଅଏଲ୍ ର ସହଯୋଗରେ ସିଲିଣ୍ଡର ସଂଗ୍ରହ ଓ ଯୋଗାଣ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି।

ବିପର୍ଯ୍ୟୟ ସମୟରେ କେବଳ ରିଲିଫ୍ ସାମଗ୍ରୀ ପହଂଚାଇବା ନୁହେଁ, ବରଂ ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ‘ଶକ୍ତିଗାଁ’ ଅଭିଯାନ ଏହି ଦିଗରେ ସମନ୍ୱୟ, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧର ଏକ ଉଦାହରଣ ସୃଷ୍ଟି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande