
ଘଟଗାଁ , ୪ ନଭେମ୍ବର (ହି.ସ.) - କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଉତ୍ସାହର ନୂତନ ଉତ୍ସ ସୃଷ୍ଟି କରି ଘଟଗାଁ ବ୍ଲକ ଅନ୍ତର୍ଗତ ଛୋଟରାୟପୁର ଫୁଟବଲ୍ ଷ୍ଟାଡିୟମ୍ଠାରେ ୨୫ତମ ମା’ ତାରିଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଆୟୋଜନର ୨୫ ବର୍ଷ ପୂର୍ତି ଅବସରରେ ଏହି ପ୍ରତିଯୋଗିତା ରୋପ୍ୟ ଜୟନ୍ତୀର ଗୌରବମୟ ସ୍ମୃତି ବହନ କରୁଥିବା ବେଳେ ମା’ ତାରିଣୀ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଆଦିରାଜ୍ୟରୁ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍ଘାଟନୀ ସମାରୋହରେ ବରିଷ୍ଠ ରୋଟାରିଆନ୍ ବସନ୍ତ ପୃଷ୍ଟି, ସାମ୍ବାଦିକ ତଥା ସମାଜସେବୀ ସଞ୍ଜୟ ମିଶ୍ର, ଘଟଗାଁ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ରଞ୍ଜନ ଦାସ ଏବଂସ୍ଥାନୀୟ ୱାର୍ଡ ସଦସ୍ୟା ଗୌରୀ ମହାରଣା ପ୍ରମୁଖ ଅତିଥିଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିଯୋଗିତାର ଉଦ୍ଘାଟନୀମ୍ୟାଚ୍ରେ ମା’ କମଳା ଫୁଟବଲ୍ କ୍ଲବ୍ ଓ ସୃଷ୍ଟି ଫୁଟବଲ୍ ଏକାଦଶ ମଧ୍ୟରେ ରୋମାଂଚକର ମୁକାବିଲା ହୋଇଥିଲା। ଏଥିରେ ମା’ କମଳା ଫୁଟବଲ୍ କ୍ଲବ୍ ବିଜୟୀ ହୋଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।ମ୍ୟାଚ୍ ପରିଚାଳନା ଦାୟିତ୍ୱରେ ସୁନୀଲ ଟୁଡୁ, କାଳିନ୍ଦୀ ମୁର୍ମୁ, ବିନୋଦ ହନାଗା, ସନାତନ ମୁର୍ମୁ ଓ ବିଜୟ ବିରୁଆ ରେଫରି ଭାବେ ନିୟୋଜିତ ଥିବା ବେଳେ ପପୁ ବାସ୍କେ ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଶିକ୍ଷକ ରୋହିତ କୁମାର ବେହେରା, ଟିକାୟତ ନାଏକ, ଶାନ୍ତନୁ ବାରିକ ଓ ଉତମ ଖଣ୍ଡା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।କ୍ଲବ୍ର ଉପଦେଷ୍ଟା ଗୋବର୍ଦ୍ଧନ ବେହେରା ଓ ବରୁଣ ବେହେରା, ସଭାପତି ଅଜୟ ବେହେରା ଏବଂ ସମ୍ପାଦକ ରାମଚନ୍ଦ୍ର ମୁଣ୍ଡାଙ୍କ ସମେତ କ୍ଲବ୍ର ସଦସ୍ୟମାନେ ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ