
ଖୋର୍ଦ୍ଧା, ୦୪ ନଭେମ୍ବର (ହି.ସ.) ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଚଢ଼ାଉ କରି ପୋଲିସ ୩ଟି ଦାମୀ କାର୍ରୁ ୬୭ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବାଲେଶ୍ୱର ଓ ଜଣେ ଭଦ୍ରକ ଜିଲାର ବୋଲି ଜଣାପଡ଼ିଛି। ଏମାନଙ୍କଠାରୁ ୫ଟି ମୋବାଇଲ ଫୋନ୍ ଓ ନଗଦ ୧୨ ହଜାର ୩୦୦ ଟଙ୍କା ମଧ୍ୟ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କନ୍ଧମାଳ ଜିଲାରୁ ଗଞ୍ଜେଇ ସଂଗ୍ରହ କରି ବାଲେଶ୍ୱର ଜିଲ୍ଲାକୁ ଚାଲାଣ କରୁଥିଲେ। ଏହି ଚାଲାଣରେ ୩ଟି କାର୍ ବ୍ୟବହାର କରାଯାଉଥିବା ପୋଲିସ ଜାଣିବାକୁ ପାଇଛି। ବୁଧବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ପରମାର ସ୍ମିଥ୍ ପୁରୁଷୋତମ ଦାସ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚୋରା ଚାଲାଣରେ ସକ୍ରିୟ ଥିବା ସେ କହିଛନ୍ତି। ଏହି ଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଗଞ୍ଜେଇ ଚାଲାଣ ନେଟୱାର୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ