
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପାର୍ଥୀବ ଶରୀର ବୁଧବାର ସକାଳେ ଅନୁଷ୍ଠାନ ପରିସରକୁ ଆସିଥିଲା। ଶୂନ୍ୟରୁ ଏକ ପ୍ରତିଷ୍ଠିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ରୂପାନ୍ତରିତ କରିଥିବା ଏମ୍ସ ଭୁବନେଶ୍ୱରର ବିନ୍ଧାଣୀଙ୍କୁ ଅନ୍ତିମ ଦର୍ଶନ କରିଥିଲେ ସମ୍ପୂର୍ଣ୍ଣ ଏମ୍ସ ପରିବାର। ଏମ୍ସ ଭୁବନେଶ୍ୱରର ସମସ୍ତ ଚିକିତ୍ସକ, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ରେସିଡେଂଟ ଡାକ୍ତରମାନେ ସେଠାରେ ଏକତ୍ରିତ ହୋଇ ଏହି ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗଭୀର ସମବେଦନା ଜଣାଇଥିଲେ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଡିନ୍ (ଶିକ୍ଷା) ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିନ୍ (ପରୀକ୍ଷା) ଡ. ମନସ୍ୱିନୀ ମଙ୍ଗରାଜ ଏବଂ ଡିଡିଏ ଲେଫ୍ଟନାଂଟ କର୍ଣ୍ଣେଲ ଅଭିଜିତ୍ ସରକାରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ ଏବଂ ଛାତ୍ରଛାତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠା ଏବଂ ବିକାଶ କ୍ଷେତ୍ରରେ ପ୍ରଫେସର ମହାପାତ୍ରଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ତାଙ୍କର ଦୂରଦୃଷ୍ଟି, ନେତୃତ୍ୱ ଏବଂ ଛାଡ଼ିଯାଇଥିବା ଅବିସ୍ମରଣୀୟ କୀର୍ତି ସର୍ବଦା ଏହି ଅନୁଷ୍ଠାନର ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ଏପରି ଦୁଃଖଦ ମୁହୂର୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ ଡ. ବିଶ୍ୱାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା