ବ୍ଲକ୍ ରାଜନୀତିରେ ଦଳୀୟ କନ୍ଦଳ, ରହସ୍ୟ ଘେରରେ ଚାବି ପକାଯିବା ଓ ଖୋଲାଯିବା ଘଟଣା
ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ପଂଚାୟତ ସମିତି କାର୍ଯ୍ୟାଳୟରେ ତାଲା ପକାଯିବା ଓ ପୁଣି ଖୋଲାଯିବାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ବିକଶିତ ଗ୍ରାମ ବିକଶିତ ଓଡିଶା କୁ ନେଇ ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ପରବର୍ତୀ ସମୟରେ ବିଜେପିର ଗୋଟିଏ
BHADRAK BLOCK DALIYA KANDAL


ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ପଂଚାୟତ ସମିତି କାର୍ଯ୍ୟାଳୟରେ ତାଲା ପକାଯିବା ଓ ପୁଣି ଖୋଲାଯିବାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ବିକଶିତ ଗ୍ରାମ ବିକଶିତ ଓଡିଶା କୁ ନେଇ ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ପରବର୍ତୀ ସମୟରେ ବିଜେପିର ଗୋଟିଏ ଗୋଷ୍ଠୀ କାର୍ଯ୍ୟାଳୟରେ ଗତ ଶନିବାର ତାଲା ପକାଇଦେଇଥିଲେ। ସୋମବାର ଦିନ ପୁଣି ନୂଆକରି ବିଜେପିରେ ସାମିଲ ହୋଇଥିବା ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ତାଙ୍କ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ଜିନ୍ଦାବାଦ୍ ପକାଇ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ତାଙ୍କ ଅଫିସ୍ରେ ବସିଥିଲେ। ତେବେ ଏହି ତାଲା ଖୋଲିଲା କିଏ! ଏ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ କଥା ଶୁଣିବାକୁ ମିଳିଛି। ଠିକ୍ ଏହିଭଳି ବିଜେପିର ଏକ ବିବାଦୀୟ ରାଜନୈତିକ ଦୃଶ୍ୟପଟ ଏହିବର୍ଷ ଜାନୁଆରୀରେ ନେହେରୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଜିଲା ମହୋତ୍ସବ ମେଳାରେ ଷ୍ଟଲ୍ ବଂଟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପିର ବହୁ ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତୀ ସମୟରେ ଅସନ୍ତୁଷ୍ଟ ଯୁବକମାନେ ମଂଚ ଉପରକୁ ଚଢି ଭଂଗାରୁଜା କରିଥିଲେ। ଫଳରେ ଦୀର୍ଘସମୟ ଧରି ମହୋତ୍ସବ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଅସନ୍ତୁଷ୍ଟ ଯୁବଗୋଷ୍ଠୀଙ୍କୁ ପ୍ରଶାସନର ମୁଖିଆମାନେ ବୁଝାସୁଝା କରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ଫଳପ୍ରଦ ହୋଇନଥିଲା। ଦୀର୍ଘ ସମୟ ପରେ ଉପର ସ୍ତରରୁ ଗୋଟିଏ ଫୋନ୍ ଆସିବା ପରେ ଜିଦ୍ ଧରି ବସିଥିବା ଯୁବଗୋଷ୍ଠୀମାନେ ମେଳା ଛାଡି ଚାଲିଯାଇଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ବ୍ଲକ୍ ପ୍ରଶାସନର ବିଭିନ୍ନ ଯୋଜନାରେ ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପ ତାଲିକାରେ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଉଥିବା ନେଇ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ। ଏହାକୁ ନେଇ ବିଜେପିର ଅନ୍ୟ ଏକ ଗୋଷ୍ଠୀ ବ୍ଲକ୍ ଅଧ୍ୟକ୍ଷାଙ୍କୁ ବିରୋଧ କରିବା ସହ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ରବିବାର ଛୁଟି ଥିଲା। ସୋମବାର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ନାୟକ ତାଙ୍କ ଗୋଷ୍ଠୀ ସହ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ପଡିଥିବା ତାଲାକୁ ଫିଟାଇଲା କିଏ। ଜିଲା ମହୋତ୍ସବର ଘଟଣା ଭଳି ପୁଣି କଣ ଉପରୁ ଫୋନ୍ ଆସିବା ପରେ ତାଲା ଖୋଲାଗଲା, ଏ ନେଇ ଜନସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଦୁଇଟି ଘଟଣାରେ ଆସିଥିବା ଅଦୃଶ୍ୟ ଫୋନ୍ କଲ୍ କାହାର ଥିଲା! କେତେକ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଫୋନ୍ ଥିଲା ବୋଲି କହୁଥିବାବେଳେ ଆଉ କେତେକ ରାଜ୍ୟ ପାର୍ଟି ଅଫିସ୍ରୁ ଫୋନ୍ କଲ୍ ଆସିଥିଲା ବୋଲି କୁହାଯାଉଛି। ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦକୁ ସ୍ଥାୟୀ ସମାଧାନ କରିବା ପରିବର୍ତେ ପେଚ୍ ପକାଇଲା ଭଳି ଦଳ ସଂଗଠନକୁ ବଂଚେଇ ରଖିବା ଘଟଣା ଆସନ୍ତା ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande