ଦୁଇ ଶତାବ୍ଦୀରେ ପଦାର୍ପଣ କରିବ ମହିମା ଧର୍ମ
Biswa shanti home will be held
ଦୁଇ ଶତାବ୍ଦୀରେ ପଦାର୍ପଣ କରିବ ମହିମା ଧର୍ମ


ପଞ୍ଚଗାଁ-ବିଜାପାଲି ଆଶ୍ରମରେ ୪୨ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ପାଇଁ ପ୍ରସ୍ତୁତି

ଝାରସୁଗୁଡ଼ା, 04 ନଭେମ୍ବର (ହି.ସ.) - ଆସନ୍ତା ୨୦୨୭ ନବବର୍ଷରେ ମହିମା ଧର୍ମ ୨୦୦ ବର୍ଷରେ ପଦାର୍ପଣ କରିବ। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ଲଖନପୁର ବ୍ଲକର ପଞ୍ଚଗାଁ-ବିଜାପାଲିସ୍ଥିତ ମହିମା ଆଶ୍ରମରେ ୪୨ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳା ମହାସମାରୋହରେ ଆୟୋଜନ କରାଯିବ। ଏଥିପାଇଁ ୨୦୨୭ ଜାନୁଆରୀ ୨୦ରୁ ୨୨ ତାରିଖ ଯାଏଁ ତିନିଦିନିଆ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି।ଏହି ଆଧ୍ୟାତ୍ମିକ ମହୋତ୍ସବରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବାକୁ ପ୍ରସ୍ତୁତି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।

ବ୍ରହ୍ମାବଧୂତ ବିରେନ୍ଦ୍ର ବାବାଙ୍କ ନିର୍ଦ୍ଦେଶକ୍ରମେ ମହିମା ଆଶ୍ରମରେ କମିଟି ସଭାପତି ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ମହିମା ଧର୍ମର ଦୁଇ ଶତାବ୍ଦୀ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ବ୍ରହ୍ମଯଜ୍ଞକୁ ଅଧିକ ଆକର୍ଷଣୀୟ ଓ ବ୍ୟାପକ କରିବାକୁ ସଭାପତି ଶ୍ରୀ ସିଂହ ପ୍ରସ୍ତାବ ରଖିଥିଲେ। ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ଫୋନ୍ ଯୋଗେ ଯୋଗଦେଇ କାର୍ଯ୍ୟକ୍ରମକୁ ଶାନ୍ତି ଓ ଶୃଙ୍ଖଳାର ସହ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଆଶ୍ରମର ସାଧୁ କାହ୍ନା ବାବା ମହିମା ଧର୍ମର ମୂଳତତ୍ତ୍ୱ, ଆଦର୍ଶ ଓ ଆଧ୍ୟାତ୍ମିକ ଦର୍ଶନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜନ କରିବାକୁ ମତ ରଖିଥିଲେ।

ବୈଠକରେ ଉତ୍ସବର ବିଭିନ୍ନ ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଆଶ୍ରମର ସାଧୁସନ୍ଥ, ବୁଦ୍ଧିଜୀବୀ, କମିଟି ସଦସ୍ୟ ଓ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande