
ଘଣ୍ଟା ଘଣ୍ଟା ଧରି ଫାଟକ ବନ୍ଦ, ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ
ଝାରସୁଗୁଡ଼ା, 04 ନଭେମ୍ବର (ହି.ସ.) କିର୍ମିରା ବ୍ଲକ ଅନ୍ତର୍ଗତ ଅର୍ଡା ପଞ୍ଚାୟତର ଧୁତରା ରେଳ ଫାଟକ ଏବେ ଅଞ୍ଚଳବାସୀଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ଏହି ଫାଟକରେ ଯାତାୟାତ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଲୋକଙ୍କୁ ନାନା ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଏଥିପ୍ରତି ରେଳ ବିଭାଗ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ଦକ୍ଷିଣ ପୂର୍ବ ରେଳପଥର ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଥିବା ଧୁତରା ରେଳ ଷ୍ଟେସନର ଫାଟକ ନମ୍ବର ୨୫୪ ଉପରେ ଧୁତରା, ଚମ୍ପାପଡ଼ା, ସାରସମାଳ, ସାରସପାଲି, ଗୁଡ଼ୁଗାଁ, ସିଆଲରମା, ବନ୍ଦପାଲି, ପୁଢ଼େଇଡିହି, କିର୍ମିରା, ଲଇକେରା ଓ ଝାରସୁଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ଏହି ରେଳପଥରେ ମାଲବାହୀ ଟ୍ରେନ୍, ଏକ୍ସପ୍ରେସ୍ ଟ୍ରେନ୍ ଭଳି ଅନେକ ଟ୍ରେନ୍ ନିୟମିତ ଚଳାଚଳ କରୁଥିବାରୁ ଫାଟକଟି ଦୀର୍ଘ ସମୟ ଧରି ବନ୍ଦ ରହୁଛି।
ଫଳରେ ଦୈନିକ ଯାତାୟାତ କରୁଥିବା ଶ୍ରମିକ, କୁଳିମଜୁରିଆ, ସରକାରୀ ଓ ବେସରକାରୀ କର୍ମଚାରୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସମୟରେ ଆମ୍ବୁଲାନ୍ସ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଫାଟକ ଦୀର୍ଘ ସମୟ ବନ୍ଦ ରହୁଥିବାରୁ କେତେକ ସ୍କୁଲ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବେ ରେଳ ଲାଇନ୍ ଅତିକ୍ରମ କରୁଥିବା ଦେଖାଯାଉଛି। ଏହାଦ୍ୱାରା ସେମାନଙ୍କ ଜୀବନ ପ୍ରତି ଗୁରୁତର ବିପଦ ରହିଛି। ଏହି ଫାଟକ ନିକଟରେ ପୂର୍ବରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲେ ମଧ୍ୟ ରେଳ ବିଭାଗ ପକ୍ଷରୁ ଏଯାଏଁ କୌଣସି ସ୍ଥାୟୀ ସମାଧାନ କରାଯାଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଧୁତରା ରେଳ ଫାଟକରେ ତୁରନ୍ତ ଏକ ବିକଳ୍ପ ଯାତାୟାତ ବ୍ୟବସ୍ଥା, ଯଥା ରେଳ ଓଭରବ୍ରିଜ୍ କିମ୍ବା ଅଣ୍ଡରପାସ୍ ନିର୍ମାଣ କରିବାକୁ ଅଞ୍ଚଳବାସୀ ରେଳ ବିଭାଗ ନିକଟରେ ଦାବି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ