ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ–୨୦୨୬ ପାଳିତ
District level millet day observed
District level millet day observed


ଝାରସୁଗୁଡ଼ା, ୦୪ ନଭେମ୍ବର (ହି.ସ.) - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓଡ଼ିଶା ମିଲେଟ୍ ମିଶନ' (ଶ୍ରୀ ଅନ୍ନ ଅଭିଯାନ) ଅଧୀନରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ–୨୦୨୬’ କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଉଦ୍ଘାଟନ କରିଥିଲେ। ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ନିମନ୍ତେ ଗୋଷ୍ଠୀ-ଭିତିକ ବିହନ ପ୍ରଣାଳୀ ଓ କୃଷି ଜୈବ ବିବିଧତା' ଶୀର୍ଷକ ମୁଖ୍ୟ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ଟି ବ୍ଲକ୍ରୁ ଶତାଧିକ ପ୍ରଗତିଶୀଳ ଚାଷୀ ଯୋଗଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ (ଆତ୍ମା) ଜି. ଜୟନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଦିବସର ମହତ୍ୱ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ପ୍ରକାଶ କରିଥିଲେ ଯେ, ମାଣ୍ଡିଆ କେବଳ ଏକ ପାରମ୍ପରିକ ଫସଲ ନୁହେଁ, ଏହା ହେଉଛି ପୁଷ୍ଟିର ଏକ ଉତ୍କୃଷ୍ଟ ଭଣ୍ଡାର। ଜିଲ୍ଲାରେ ମାଣ୍ଡିଆ ଚାଷର ବ୍ୟାପକ ପ୍ରସାର ସହିତ ପ୍ରତ୍ୟେକ ପରିବାର ନିଜର ଦୈନନ୍ଦିନ ଖାଦ୍ୟ ଥାଳିରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ସ୍ଥାନୀୟ ଚାଷୀଙ୍କ ଉତ୍ପାଦିତ ଶସ୍ୟର ଚାହିଦା ବୃଦ୍ଧି ପାଇ ସେମାନଙ୍କର ଆର୍ôଥକ ଉନ୍ନତି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ତଥା ସଂସ୍ଥାମାନଙ୍କୁ ଉତରୀୟ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନୱାଲ ଅଗ୍ରୱାଲ ମିଲେଟ୍ର ଗୁଣବତା ସମ୍ପର୍କରେ କହିବା ସହ ଅଧିକରୁ ଅଧିକ ମାଣ୍ଡିଆ ଚାଷ ଦ୍ୱାରା ଚାଷୀମାନେ ଭଲ ରୋଜଗାର ପାଇପାରିବେ ଏବଂ ଏଥିପାଇଁ ସମସ୍ତେ ମିଲେଟ୍ ଖାଦ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା କହିଥିଲେ ଯେ, ମାଣ୍ଡିଆ କେବଳ ଏକ ଖାଦ୍ୟ ନୁହେଁ, ଏହା ଆଦିବାସୀ ସଂସ୍କୃତିର ଏକ ପ୍ରମୁଖ ପରିଚୟ। ଏହାକୁ ଏକ ମିଶନ ଭାବେ ଗ୍ରହଣ କରି ପ୍ରତ୍ୟେକ ଘରେ ସପ୍ତାହକୁ ଅତିକମରେ ଥରେ ଟିଫିନ୍ରେ ମାଣ୍ଡିଆ ଯୁକ୍ତ ଖାଦ୍ୟ ସାମିଲ କରିବା ଅଭ୍ୟାସ ଗଢ଼ିତୋଳିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ସମୀର ରଞ୍ଜନ ଦାଶ ମାଣ୍ଡିଆ ଚାଷର ବୈଜ୍ଞାନିକ ପ୍ରଣାଳୀ, ଉନ୍ନତ ବିହନ ଚୟନ, ରୋଗପୋକ ପରିଚାଳନା ଏବଂ ଉତ୍ପାଦନ ବୃଦ୍ଧି କୌଶଳ ସମ୍ପର୍କରେ ଚାଷୀମାନଙ୍କୁ ତଥ୍ୟଭିତିକ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ପରିସରରେ ୪ଟି ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ୍ ସ୍ଥାପନ କରାଯାଇ ମାଣ୍ଡିଆ ବିହନ ଏବଂ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା। ଉପସ୍ଥିତ ଚାଷୀ ଓ ଜନସାଧାରଣ ଏହି ମିଲେଟ୍ ଖାଦ୍ୟ ମେଳାରେ ଉତ୍ସାହର ସହିତ ଭାଗ ନେଇଥିଲେ। ଝାରସୁଗୁଡ଼ା ବ୍ଲକ୍ର ସହକାରୀ କୃଷି ଅଧିକାରୀ ଗଗନ କୁମାର ଭୋଇ ମଂଚ ସଂଯୋଜନା କରିଥିଲେ। ଜିଲ୍ଲା ଅନ୍ନ ଅଭିଯାନ ସ୍କିମ୍ ଅଫିସର ଭାଗ୍ୟଶ୍ରୀ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଟିକେଶ୍ୱର ବେହେରା ଏବଂ ଜିଲ୍ଲା ଲେଖାପାଳ ସଙ୍କେତ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏହି ସମାରୋହରେ ଜିଲ୍ଲାର ସମସ୍ତ ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ସହଯୋଗୀ ସ୍ୱେଚ୍ଛାସେବୀ ସଂସ୍ଥା ଏଜେକେଏ, ଏସଡବ୍ଲୁଇଏ ଓ ଏସଇଡବ୍ଲୁଇକେ ର ସଂଯୋଜକ, କମ୍ୟୁନିଟି ରିସୋର୍ସ ପର୍ସନ ତଥା କୃଷି କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande