
ଘଟଗାଁ , ୪ ନଭେମ୍ବର (ହି.ସ.) - ଅଭାବ ଓ ଅସହାୟତାରେ ଦିନ କାଟୁଥିବା ଜଣେ ବୃଦ୍ଧଙ୍କ ଅକାଳ ବିୟୋଗକୁ ନେଇ ଅସନବାହାଳୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘଟଗାଁ ବ୍ଲକ ପୁରୁମୁଣ୍ଡା ପଂଚାୟତ ଅନ୍ତର୍ଗତ ଅସନବାହାଳୀ ଗ୍ରାମର ପର୍ଶୁ ନାୟକ (ପ୍ରାୟ ୭୦) ପୋଖରୀରେ ବୁଡ଼ି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ପର୍ଶୁ ଜଣେ ପକ୍ଷାଘାତ ରୋଗୀ ଥିଲେ। ଦୁର୍ବଳ ଆର୍ôଥକ ସ୍ଥିତି ମଧ୍ୟରେ ଜୀବନ ଅତିବାହିତ କରୁଥିବା ଏହି ବୃଦ୍ଧଙ୍କୁ ଦୀର୍ଘ ୪ ମାସ ଧରି ବାର୍ଦ୍ଧକ୍ୟ ଭତା ମିଳିନଥିବା ଅଭିଯୋଗ ହୋଇଛି। ଭତା ଟଙ୍କା ପାଇବା ଆଶାରେ ସେ ପଂଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ଫଳ ମିଳିନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏପରିକି ନିଜର ଔଷଧ ଖର୍ଚ୍ଚ ଭରଣା କରିବା ପାଇଁ ତାଙ୍କୁ ଅନ୍ୟମାନଙ୍କ ନିକଟରେ ହାତ ପତାଇବାକୁ ପଡ଼ୁଥିଲା। ଅଭାବ ଅନଟନ ସାଙ୍ଗକୁ ରୋଗ ଯନ୍ତ୍ରଣା ତାଙ୍କ ଜୀବନକୁ ଅଧିକ ଦୁର୍ବିଷହ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏହି ଦୁଃଖଦ ସମୟରେ ପୁରୁମୁଣ୍ଡା ସରପଂଚଙ୍କ ପ୍ରତିନିଧି ହୃଦାନନ୍ଦ ନାୟକ, ପିଏସ୍ ମେମ୍ବର, ସମାଜସେବୀ ହେମନ୍ତ ବାରିକଙ୍କ ସମେତ ଗ୍ରାମର କିଛି ବ୍ୟକ୍ତି ମୃତକଙ୍କ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ।
ଅନ୍ୟପକ୍ଷରେ ଜଣେ ପକ୍ଷାଘାତ ରୋଗରେ ପୀଡ଼ିତ ଅସହାୟ ବୃଦ୍ଧଙ୍କୁ ଦୀର୍ଘ ଚାରି ମାସ ଧରି ଭତା ନମିଳିବା ଘଟଣା ସରକାରୀ ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭତା ପ୍ରଦାନରେ ବିଳମ୍ବର କାରଣ ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ଏବଂ ମୃତକଙ୍କ ଅସହାୟ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ