କୋଲାବିରା ବ୍ଲକରେ ବିଧାୟକଙ୍କ ମାରାଥନ ଶିଳାନ୍ୟାସ
Foundation stone by MLA
କୋଲାବିରା ବ୍ଲକରେ ବିକାଶର ନୂଆ ଅଧ୍ୟାୟ, ବିଧାୟକଙ୍କ ମାରାଥନ ଶିଳାନ୍ୟାସ


ରାସ୍ତା, ଶିକ୍ଷା, କ୍ରୀଡ଼ା ଓ ସାମାଜିକ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଝାରସୁଗୁଡ଼ା, ୪ ନଭେମ୍ବର (ହି.ସ.) ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ସହ ଜନସାଧାରଣଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଲାବିରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ଗ୍ରାମ୍ୟ ରାସ୍ତା, କଂକ୍ରିଟ ରାସ୍ତା, ଫୁଟବଲ ପଡ଼ିଆର ଉନ୍ନତିକରଣ, ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ ନିର୍ମାଣ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ପାଇଁ ଗୃହ ନିର୍ମାଣ ଆଦି ପ୍ରକଳ୍ପ ସାମିଲ ରହିଛି।

ପ୍ରଥମେ ସୋଡ଼ାମାଳ ପଞ୍ଚାୟତର ଆମଝରଣଠାରେ ବିଜିବିଓ ଯୋଜନାରେ ୪ ଲକ୍ଷ ଟଙ୍କା ବ୍ୟୟରେ ଫୁଟବଲ ପଡ଼ିଆର ଉନ୍ନତିକରଣ ଏବଂ ଆରଡ଼ି ରାସ୍ତାରୁ ଭଦୁଆପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶିଳାନ୍ୟାସ କରିଥିଲେ। ସମାସିଂହା ପଞ୍ଚାୟତର କେ. ସମାସିଂହାରୁ ଖର୍ରାପଡ଼ା ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ ରାସ୍ତା ଏବଂ ଗୌଡ଼ପଡ଼ାଠାରେ ଗୌଡ଼ ସମାଜ ପାଇଁ ୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୃହ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।କୁଳିହାମାଳ ପଞ୍ଚାୟତର ଏସ୍. ପଣ୍ଡକିମାଳ ଗ୍ରାମରେ ୫ ଲକ୍ଷ ଟଙ୍କା ବ୍ୟୟରେ ଫୁଟବଲ ପଡ଼ିଆରେ ପେଣ୍ଡାଲ ଓ ସେଡ୍ ନିର୍ମାଣ, କୁଳିହାମାଳ ଗ୍ରାମରେ ୫ ଲକ୍ଷ ଟଙ୍କାରେ ଭୀମଗୁଡ଼ି ଭୋଗମଣ୍ଡପ ନିର୍ମାଣ ଏବଂ ୩ ଲକ୍ଷ ଟଙ୍କା ବ୍ୟୟରେ ଆରଡ଼ି ରାସ୍ତାରୁ ଭୋଇପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା।

ପୋଖରାସାଲେହ ପଞ୍ଚାୟତର ସମଲେଇ ମନ୍ଦିର ନିକଟରେ ବାଉଣ୍ଡାରୀ ୱାଲ୍ ନିର୍ମାଣ, ଯେଙ୍ଘାପଡ଼ାରେ କଂକ୍ରିଟ ଗୃହ ନିର୍ମାଣ ଏବଂ ଅମାତି ଗ୍ରାମରୁ ଲାଖୋପଡ଼ା ପର୍ଯ୍ୟନ୍ତ ଆରଡ଼ି ରାସ୍ତା ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ସେହିପରି ଝିର୍ଲାପାଲି ପଞ୍ଚାୟତର ଜଟିଆଡ଼ିହି ଗ୍ରାମରେ ଭାଗବତ ଟୁଙ୍ଗି ଏବଂ ବଡ଼ବାହାଲ ଗ୍ରାମରେ ଦୁଇଟି କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

କୋଲାବିରା ପଞ୍ଚାୟତରେ ଥିବା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀ ପାଇଁ ନୂତନ ଶ୍ରେଣୀଗୃହ ନିର୍ମାଣର ଶିଳାନ୍ୟାସ ହୋଇଥିଲା। ଏଥିସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୫ ଲକ୍ଷ ଟଙ୍କାରେ ଗେଟ୍ ଓ ୧୦ ଲକ୍ଷ ଟଙ୍କାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ପୁରୋହିତ ବନ୍ଧରେ ୩ ଲକ୍ଷ ଟଙ୍କାରେ ଗାଧୁଆ ତୁଠ ନିର୍ମାଣ, ଏମ୍ଏଲ୍ଏ ଲାଡ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାରେ ଶନି ମନ୍ଦିରକୁ କଂକ୍ରିଟ ରାସ୍ତା ନିର୍ମାଣ, ଗ୍ରାମଦେବତୀ ମନ୍ଦିରର ଫ୍ଲୋରିଂ ଓ ସେଡ୍ ନିର୍ମାଣ ଏବଂ ୮ ଲକ୍ଷ ଟଙ୍କା ବ୍ୟୟରେ ତରାଇକେଲାରୁ ରାକସବୁଡ଼ା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣର ଶିଳାନ୍ୟାସ କରାଯାଇଥିଲା।ରଘୁନାଥପାଲି ପଞ୍ଚାୟତରେ ମାଉସୀ ମା' ମନ୍ଦିରର ନୂତନ ଗୃହ ଓ ଜାମକାନୀ ଗ୍ରାମରେ କୀର୍ତ୍ତନ ମଣ୍ଡପ ନିର୍ମାଣ ସହ ଆରଡ଼ି ବିଭାଗ ପକ୍ଷରୁ ରଘୁନାଥପାଲିରୁ କେନ୍ଦୁଟିକିରା, ରଘୁନାଥପାଲିରୁ ଜାମକାନୀ, ପିଡବ୍ଲ୍ୟୁଡି ରାସ୍ତାରୁ ସୁନାଝରିଆ ଏବଂ ପିଡବ୍ଲ୍ୟୁଡି ରାସ୍ତାରୁ ରେଙ୍ଗାଲପାଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶିଳାନ୍ୟାସ ହୋଇଥିଲା।

କେଲେଣ୍ଡାମାଲ ପଞ୍ଚାୟତର ଗୁଡ଼ିଗାଁ ରାମଲୀଳା ଯାତ୍ରା ପଡ଼ିଆରେ ମୁକ୍ତ ପେଣ୍ଡାଲ ନିର୍ମାଣ ଓ ଅଏଁଳାମାଳ ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣ ସହ ଏମ୍ଏଲ୍ଏ ଲାଡ୍ ପାଣ୍ଠିରୁ ଗୁଡ଼ିଗାଁ ନୂଆପଡ଼ାରେ କୀର୍ତ୍ତନ ମଣ୍ଡପ ଏବଂ ଓରାମପଡ଼ାରୁ ପିଡବ୍ଲ୍ୟୁଡି ରାସ୍ତା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶିଳାନ୍ୟାସ ହୋଇଥିଲା। ପରମାଣପୁର ପଞ୍ଚାୟତର ଉପର କିଷାନପଡ଼ାରେ ୬ ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ, ୩ ଲକ୍ଷ ଟଙ୍କାରେ ରୋହିଦାସପଡ଼ାକୁ କଂକ୍ରିଟ ରାସ୍ତା ଏବଂ ପତ୍ରାପାଲି ଗ୍ରାମରେ ପଟାଭାଡ଼ିରୁ ପତ୍ରାପାଲି ବେଡ଼ି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ଏହି ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଦ୍ୱାରା କୋଲାବିରା ବ୍ଲକ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆସିବ। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ବିଶେଷ ଭାବେ ଉପକୃତ ହେବେ। ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କ ସେବା ଓ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଜାରି ରହିବ ବୋଲି ସେ ମତପ୍ରକାଶ କରିଥିଲେ।

ବୁଧବାର ଦିନତମାମ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଡିଓ ଅବିନାଶ ଲାକ୍ରା, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ ଆଶିଷ ଲେଙ୍କା, ସୋଡ଼ାମାଳ ସରପଞ୍ଚ ଚନ୍ଦନ ପଟ୍ଟନାୟକ, କୁଳିହାମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଞ୍ଜନ ପଟେଲ, ଝିର୍ଲାପାଲି ସରପଞ୍ଚ ଟିଲୋତ୍ତମା ଛଛାନ, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାସ, ସାଧାରଣ ସମ୍ପାଦକ ଲିଙ୍କନ ଟାଣ୍ଡକାର, ସମରେନ୍ଦ୍ର ରାୟ, ସଞ୍ଜୟ ପୂଜାରୀ, ଅନିଲ ବେହେରା, ମନୋଜ ସାହୁ, ଭାଗିରଥି ଛତ୍ରିୟା, ବେଦବ୍ୟାସ ପ୍ରଧାନଙ୍କ ସମେତ ବହୁ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande