
ବଲାଙ୍ଗୀର, ୦୪ ନଭେମ୍ବର(ହି.ସ.) – ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍ଭଗବଦଗୀତାର ବାଣୀକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚାଇବା ସହ ସେମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକ ଉଚ୍ଚାରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଜ୍ଞାନ ମିଶନ୍ ପକ୍ଷରୁ ମୁରିବାହାଲସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ୍ସ୍ତରୀୟ ଶ୍ଳୋକ ଆବୃତି ପ୍ରତିଯୋଗିତା ମଙ୍ଗଳବାର ଆୟୋଜିତ ହୋଇଯାଇଛି। ମୁରିବାହାଲ ଓଏଭି ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋଦଣ୍ଡଧର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୀତାର ଉପଦେଶ ମନୁଷ୍ୟକୁ କର୍ତବ୍ୟନିଷ୍ଠ, ଶୃଙ୍ଖଳିତ ଓ ନୈତିକ ଜୀବନଯାପନ ପାଇଁ ପ୍ରେରଣା ଦେଇଥାଏ ବୋଲି ମତପ୍ରକାଶ କରିଥିଲେ। ସଂସ୍କୃତଭାରତୀ, ଉତ୍କଳ(ପଶ୍ଚିମପ୍ରାନ୍ତ)ର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ପ୍ରତିଯୋଗିତାର ସଂଯୋଜନା ଓ ସମନ୍ୱୟ ଦାୟିତ୍ୱ ତୁଳାଇଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ୍ ମହାକୁର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ପିଏମ୍ଶ୍ରୀ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲେବଡାର ସଂସ୍କୃତ ଶିକ୍ଷକ ତୋଷ କୁମାର ସାହୁ ସଭା ପରିଚାଳନା ଓ ଅରବିନ୍ଦ ଦାଶ ଧନ୍ୟବାଦ ଦେଇଥିଲେ। ମୂଲ୍ୟାୟନ କାର୍ଯ୍ୟରେ ଶିକ୍ଷକ ଯଶୋବନ୍ତ ସାହୁ, ପରାଶର ଲୁହା, ଅରୁଣ ପାତ୍ର, ସୁମନାନନ୍ଦ ଖମାରୀ, ଚୌବନ ଜାନି, ଲକ୍ଷ୍ମୀକାନ୍ତ ସେଠ, ଆଶିଷ ପଧାନ, ନବକୃଷ୍ଣ ନିଆଲ ଓ ଶିକ୍ଷୟିତ୍ରୀ ଝୁନୁରାଣୀ ନନ୍ଦ ପ୍ରମୁଖ ବିଚାରକ ଥିଲେ। ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗରେ ଆଦ୍ୟାଶା ମିଶ୍ର, ଆଦ୍ୟାଶା ଦାଶ, ତନ୍ମୟା ଛୁରା ଓ ହିରାବତୀ ପୁଟେଲ କନିଷ୍ଠ ବର୍ଗରେ ଅର୍ଚ୍ଚନା ବାଗ, ରାଣୀ ଛୁରା, ଶ୍ରୀୟାସ୍ମିତା ରଶ୍ମିରାଣି ସାହୁ, ଉପକନିଷ୍ଠ ବର୍ଗରେ ଆଦ୍ୟାଶା ବଘାର, ଆରାଧ୍ୟା ମହାରଣା ଓ ମିଲି ସେଠ କ୍ରମାଗତ ଭାବରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରି ନଭେମ୍ବର ୨୨ ତାରିଖରେ ଆୟୋଜିତ ହେବାକୁ ଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୀତା ଶ୍ଳୋକ ଆବୃତି ପ୍ରତିଯୋଗିତାରେ ମୁରିବାହାଲ ବ୍ଲକର ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ଶ୍ଳୋକ ଆବୃତିର ଦକ୍ଷତା ବୃଦ୍ଧି କରିନଥିଲା, ବରଂ ସଂସ୍କୃତ ଭାଷାର ମାଧୁର୍ଯ୍ୟ, ଶୁଦ୍ଧ ଉଚ୍ଚାରଣ ଓ ଭାରତୀୟ ସାଂସ୍କୃତିକ ପରମ୍ପରା ପ୍ରତି ଆତ୍ମୀୟତା ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥିଲା। ଗୀତାର ନିଷ୍କାମ କର୍ମ, କର୍ତବ୍ୟ ପରାୟଣତା, ଆତ୍ମସଂଯମ ଓ ମାନବୀୟ ମୂଲ୍ୟବୋଧ ଭଳି ଆଦର୍ଶକୁ ଛାତ୍ରଜୀବନରେ ଅନୁସରଣ କରିବା ପାଇଁ ଏହା ଏକ ପ୍ରେରଣାଦାୟୀ ମଂଚ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ