ବିମାନବନ୍ଦର ପରିସରରେ ପୌରପାଳିକା ଓ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ମିଳିତ ଯାଞ୍ଚ
Joint verification by JMC And AAI
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିମାନବନ୍ଦର ପରିସରରେ ପୌରପାଳିକା ଓ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ମିଳିତ ଯାଞ୍ଚ


ଝାରସୁଗୁଡ଼ା, ୦୪ ନଭେମ୍ବର (ହି.ସ.) - ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାର୍ବଜନୀନ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଏବଂ ବିମାନବନ୍ଦର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ, ସ୍ୱାସ୍ଥ୍ୟକର ତଥା ନିରାପଦ ରଖିବା ଲକ୍ଷ୍ୟରେ ଆଜି ସ୍ଥାନୀୟ ପୌରପାଳିକା ପ୍ରଶାସନ ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ଏକ ମିଳିତ ସ୍ୱଚ୍ଛତା ତଥା ପରିମଳ ଯାଞ୍ଚ ଅଭିଯାନ କରାଯାଇଛି। ଏହି ଯାଞ୍ଚ ଅଭିଯାନ ମୁଖ୍ୟତଃ ବିମାନବନ୍ଦର ସଂଲଗ୍ନ ଅଞ୍ଚଳରେ ମୃତ ପ୍ରାଣୀଙ୍କ ଅବଶେଷ ତଥା ଅଳିଆ ଆବର୍ଜନାର ଅନୁପଯୁକ୍ତ ନିଷ୍କାସନକୁ ରୋକିବା, ଖୋଲା ସ୍ଥାନରେ ଫିଙ୍ଗିବା ଉପରେ କଟକଣା ଲଗାଇବା ଏବଂ ବାସ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା। ଏହା ସହିତ ନାଗରିକମାନଙ୍କ ମଧ୍ୟରେ ଦାୟିତ୍ୱସମ୍ପନ୍ନ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବା, ପରିବେଶର ସନ୍ତୁଳନ ରକ୍ଷା କରିବା ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଉଭୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଯାଞ୍ଚ କାର୍ଯ୍ୟକ୍ରମ ସମୟରେ ନିର୍ଦ୍ଧାରିତ ପରିମଳ ଓ ସ୍ୱଚ୍ଛତା ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷ ଓ ବ୍ୟବସାୟୀମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କ ଠାରୁ ପ୍ରଚଳିତ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ବିମାନ ଚଳାଚଳ ସୁରକ୍ଷା ଏବଂ ପରିବେଶର ମାନ ବଜାୟ ରଖିବା ପାଇଁ ଏଭଳି ସ୍ୱଚ୍ଛତା ଅଭିଯାନ ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ଜାରି ରହିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ଏହି ଅଭିଯାନରେ ପୌରପାଳିକା ପକ୍ଷରୁ ଏନଫୋର୍ସମେଣ୍ଟ ଅଫିସର ଅଗଷ୍ଟିନ୍ ଟେଟେ ଓ ତାଙ୍କ ଟିମ୍ ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ତରଫରୁ ବରିଷ୍ଠ ପରିଚାଳକ (ପରିଚାଳନା) ପ୍ରତାପ କୁମାର ନାମ୍ବିଆର ଓ ତାଙ୍କ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande