
ମାଲକାନଗିରି , ୪ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସୋମନାଥପୁର ପଂଚାୟତର ଏମ ଭି -୩୬ ଗ୍ରାମରେ ଘଟିଥିବା ବର୍ବରୋଚିତ ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତ ପରିବାରକୁ ଆଜି ଭେଟିଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମି। ଗ୍ରାମରେ ଏଭଳି ଏକ ହୃଦୟବିଦାରକ କାଣ୍ଡ ପରେ ସେ ପ୍ରଥମେ ଡାକ୍ତରଖାନା ଏବଂ ପରେ ସିଧାସଳଖ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଘଟଣା ସମୟରେ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୧୩ ବର୍ଷୀୟ ନାବାଳକ ସନ୍ଦୀପ ସରକାରଙ୍କୁ ବିଧାୟକ ଶ୍ରୀ ମାଡକାମି ଭେଟିଛନ୍ତି। ସେଠାରେ ଡାକ୍ତରମାନଙ୍କ ସହ ଆଲୋଚନା କରି ସନ୍ଦୀପଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ତାଙ୍କୁ ଉତମ ତଥା ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି।
ଡାକ୍ତରଖାନା ପରେ ବିଧାୟକ ସିଧାସଳଖ ଏମ୍ଭି-୩୬ ଗ୍ରାମରେ ପହଂଚି ଗ୍ରାଉଣ୍ଡ ଜିରୋରେ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମବାସୀଙ୍କୁ ଭେଟି ସମଗ୍ର ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିଥିଲେ। ଏହି ଅବସରରେ ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ସହ ଆଲୋଚନା କରି ପୁଲିସ ତଦନ୍ତର ଅଗ୍ରଗତି ଏବଂ ଅଭିଯୁକ୍ତଙ୍କ ଗିରଫଦାରୀ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଦୋଷୀକୁ ଆଇନ ଅନୁଯାୟୀ ଯଥାସମ୍ଭବ କଠୋରରୁ କଠୋର ଦଣ୍ଡ ମିଳିବା ପାଇଁ ସେ ସମସ୍ତ ପ୍ରୟାସ ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏମ୍ଭି-୩୬ ଗ୍ରାମର ରମେନ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କୁ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ଘରର ଝରକା ଭାଙ୍ଗି ଭିତରେ ପଶି କଟୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଉଭୟ ଦମ୍ପତିଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ନାବାଳକ ପୁଅ ସନ୍ଦୀପ ଗୁରୁତର ଆହତ ହୋଇଥିଲେ। ନିଜ ଆଖି ଆଗରେ ବାପା-ମାଆଙ୍କୁ ହରାଇ ଏକପ୍ରକାର ଅସହାୟ ହୋଇପଡ଼ିଥିବା ଏହି ନାବାଳକର ଚିକିତ୍ସା, ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ଜୋର ଧରିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ