
- ରାଜ୍ୟର ବିଭିନ୍ନ ବିଭାଗରେ ପ୍ରମାଣଭିତିକ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ରାଜ୍ୟରେ ପ୍ରମାଣଭିତିକ ନୀତି ନିର୍ଦ୍ଧାରଣକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏବଂ ଅବଦୁଲ୍ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍ (ଜେ-ପାଲ) ସାଉଥ୍ ଏସିଆ ମଧ୍ୟରେ ଆଜି ତିନିବର୍ଷିଆ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।
ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରଶ୍ମି କବି ଏବଂ ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଶୋଭିନୀ ମୁଖାର୍ଜୀ ସ୍ୱାକ୍ଷର କରିଥିଲେ।ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟକାରୀ ସହଯୋଗୀ ନିର୍ଦ୍ଦେଶକ (ନୀତି) ମୁରଲୀ ମଲ୍ଲିକାର୍ଜୁନନ୍ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ।
ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ (ଆଇଏଫ୍ଏମ୍ଆର୍) ଠାରେ ପରିଚାଳିତ ଜେ-ପାଲ ସାଉଥ୍ ଏସିଆ ରାଜ୍ୟର ବିଭିନ୍ନ ବିଭାଗ ସହିତ ମିଶି ପ୍ରମୁଖ ନୀତିଗତ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା, ବୈଜ୍ଞାନିକ ଓ ବ୍ୟାପକ ଗବେଷଣା ମାଧ୍ୟମରେ ନିର୍ଭରଯୋଗ୍ୟ ପ୍ରମାଣ ସଂଗ୍ରହ କରିବା ଏବଂ ଗବେଷଣାରୁ ମିଳିଥିବା ନିଷ୍କର୍ଷକୁ କାର୍ଯ୍ୟକାରୀ ନୀତିଗତ ସୁପାରିଶରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବ।ଏଥିପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗ ଏହାର ସଂସ୍ଥାଗତ ପରିଚାଳନା ବ୍ୟବସ୍ଥାକରିବ ।
‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ ମାଧ୍ୟମରେ ‘ବିକଶିତ ଓଡ଼ିଶା’ଏବଂ “ବିକଶିତ ଭାରତ” ଗଠନ ନିମନ୍ତେ ରାଜ୍ୟର ଭବିଷ୍ୟତ ବିକାଶର ରୂପରେଖ ପ୍ରସ୍ତୁତ କରାଯାଇଛି।୨୦୦୬ ମସିହାରୁ ଓଡ଼ିଶାରେ ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟକଳାପ ଜାରି ରହିଛି। ପ୍ରାରମ୍ଭିକ ଶୈଶବ ଶିକ୍ଷା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶାସନ ବ୍ୟବସ୍ଥା, ପରିମଳ, କୃଷି ଏବଂ ଲିଙ୍ଗଗତ ସମାନତା ଭଳି ବିଭିନ୍ନ କ୍ଷେତ୍ରରେ ଏହି ସହଭାଗିତା କାର୍ଯ୍ୟ କରିଆସୁଛି।ଏହି ବୁଝାମଣାପତ୍ର ଅନୁଯାୟୀ, ଓଡ଼ିଶା ସରକାର ନିଜର ବିକାଶମୂଳକ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ସହଯୋଗ ପାଇଁ ଜେ-ପାଲ ସାଉଥ୍ ଏସିଆର ସହଯୋଗ ଲୋଡ଼ିଛନ୍ତି । ଜେ-ପାଲ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ସେମାନଙ୍କର ପ୍ରମୁଖ ନୀତିଗତ ପ୍ରାଥମିକତା ଓ ଆହ୍ୱାନଗୁଡ଼ିକୁ ବୁଝିବା ସହ ଆବଶ୍ୟକୀୟ ଗବେଷଣା ଓ ନୀତିଗତ ସହାୟତା ଯୋଗାଇଦେବ।
ଏହି ସହଭାଗିତାର ଅନ୍ୟତମ ଉଦାହରଣ ହେଉଛି ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମ। ଲିଙ୍ଗଗତ ସମାନତା ଉପରେ ଆଧାରିତ ଏହି ପାଠ୍ୟକ୍ରମ ର୍ତର୍ମାନ ରାଜ୍ୟର ପ୍ରାୟ ୨୩,୦୦୦ ସରକାରୀ ବିଦ୍ୟାଳୟରେ ପଢ଼ାଯାଉଛି। ଏହି କାର୍ଯ୍ୟକ୍ରମରେ ଜେ–ପାଲ ସାଉଥ୍ ଏସିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବ୍ରେକ୍?ଥ୍ରୁ ଟ୍ରଷ୍ଟର ଜ୍ଞାନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରୁଛି।ଏହି ସହଭାଗିତାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜେ-ପାଲ ସାଉଥ୍ ଏସିଆର ପ୍ରତିନିଧିମାନେ ସଦସ୍ୟ ରହିବେ।ଏହି କମିଟି ପ୍ରତି ଛଅ ମାସରେ ଥରେ ବୈଠକ କରି ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିବ। ଉଭୟ ପକ୍ଷର ନୋଡାଲ ଅଧିକାରୀମାନେ ସମସ୍ତ କାର୍ଯ୍ୟକଳାପର ସମନ୍ୱୟ କରିବେ। ସମ୍ପୃକ୍ତ ବିଭାଗଗୁଡ଼ିକ ସହ ପରାମର୍ଶ କରି ପ୍ରତ୍ୟେକ ପ୍ରକଳ୍ପର କାର୍ଯ୍ୟପରିସର ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଫଳାଫଳ ସ୍ଥିର କରାଯିବ।
ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଗର୍ଗ କହିଛନ୍ତି ଯେ, “ବିକଶିତ ଭାରତ” ଗଠନ ଦିଗରେ ଆମେ “ବିକଶିତ ଓଡ଼ିଶା”ର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟ ହାସଲ ପାଇଁ ନୀତିଗତ ଗବେଷଣା ଓ ନୂତନ ଅଭିନବ ପଦକ୍ଷେପର ପରୀକ୍ଷାମୂଳକ ପ୍ରୟୋଗ ପାଇଁ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସାମିଲ କରିବା ସହ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପଦ୍ଧତି ଅନୁସାରେ ତଥ୍ୟ ଓ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି।ଜେ-ପାଲ ସାଉଥ୍ ଏସିଆର ଭୂମିକାକୁ ମୁଁ ତିନୋଟି ଦିଗରୁ ଦେଖୁଛି। ପ୍ରଥମତଃ, ଆମର ପ୍ରାଥମିକତା ଅନୁଯାୟୀ ବିଶ୍ୱସ୍ତରରେ ଉପଲବ୍ଧ ସର୍ବାଧିକ ପ୍ରାସଙ୍ଗିକ ଗବେଷଣାଲବ୍ଧ ପ୍ରମାଣ ଓ ଅଭିଜ୍ଞତା ଉପଲବ୍ଧ କରାଇବା। ଦ୍ୱିତୀୟତଃ, ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ସମ୍ଭାବନାମୟ ପଦ୍ଧତିଗୁଡ଼ିକୁ ଅନୁକୂଳ କରିବା ପାଇଁ ବିଭିନ୍ନ ବିଭାଗ ସହ ମିଶି କାର୍ଯ୍ୟ କରିବା। ତୃତୀୟତଃ, କୌଣସି ସମାଧାନମୂଳକ ପଦକ୍ଷେପକୁ ବ୍ୟାପକ ସ୍ତରରେ କାର୍ଯ୍ୟକାରୀ କରିବା ପୂର୍ବରୁ ତାହାର ପ୍ରଭାବଶୀଳତା ପରୀକ୍ଷା କରିବା ସହ ପ୍ରମାଣ ଓ ତଥ୍ୟ ଆଧାରିତ ସମାଧାନ ପ୍ରସ୍ତୁତିରେ ଆମକୁ ସହଯୋଗ କରିବା।”
ଶ୍ରୀମତୀ ଶୋଭିନୀ ମୁଖାର୍ଜୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ଜେ-ପାଲ ସାଉଥ୍ ଏସିଆ କହିଛନ୍ତି ଯେ, ପ୍ରମାଣଭିତିକ ତଥ୍ୟ ସୃଷ୍ଟି କରିବା ଏବଂ ତାହାର ଉପଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦୀର୍ଘଦିନ ଧରି ଅଗ୍ରଣୀ ରାଜ୍ୟ ଭାବେ ପରିଚିତ।ଏହି ସହଭାଗିତା ମାଧ୍ୟମରେ ଓଡ଼ିଶା ସରକାରଙ୍କ ନୀତିଗତ ପ୍ରାଥମିକତା କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ଆମେ ଆଗ୍ରହୀ। ଏଥିରେ ବିଶ୍ୱସ୍ତରୀୟ ଗବେଷଣାଲବ୍ଧ ପ୍ରମାଣ ଉପଲବ୍ଧ କରାଇବା, ତାହାକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅନୁକୂଳ କରିବା, କାର୍ଯ୍ୟକ୍ରମଗୁଡ଼ିକର ମିଳିତ ରୂପରେଖ ପ୍ରସ୍ତୁତ କରିବା ଏବଂ ଫଳପ୍ରଦ ପଦକ୍ଷେପଗୁଡ଼ିକର ପରୀକ୍ଷଣ ଓ ବ୍ୟାପକ ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ରାଜ୍ୟରେ ପୂର୍ବରୁ ରହିଥିବା ସୁଦୃଢ଼ ଅନୁଧ୍ୟାନ ଓ ମୂଲ୍ୟାଙ୍କନ ବ୍ୟବସ୍ଥାର ଦକ୍ଷତାକୁ ଆହୁରି ସମୃଦ୍ଧ କରିବା ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ଶ୍ରୀମତୀ ମୁଖାର୍ଜୀ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉକି, ଅବଦୁଲ୍ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍ (ଜେ-ପାଲ ) ଏକ ଅଗ୍ରଣୀ ଆନ୍ତର୍ଜାତିକ ଗବେଷଣା ନେଟୱର୍କ। ଦାରିଦ୍ର୍ୟ ଦୂରୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରଶ୍ନଗୁଡ଼ିକର ଉତର ଖୋଜିବା ପାଇଁ ଏହା କଠୋର ଓ ବ୍ୟବସ୍ଥିତ ନିୟନ୍ତ୍ରିତ ମୂଲ୍ୟାଙ୍କନ (ରାଣ୍ଡମାଇଜ୍ଡ ଇଭାଲୁଏସନ୍) ମାଧ୍ୟମରେ ପ୍ରମାଣଭିତିକ ଗବେଷଣାର ପ୍ରୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।ଏହି ଗବେଷଣାମୂଳକ କାର୍ଯ୍ୟ ପାଇଁ ୨୦୧୯ ମସିହାରେ ଜେ-ପାଲ ର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଅଭିଜିତ୍ ବାନାର୍ଜୀ ଓ ଏସ୍ଥର ଡୁଫ୍ଲୋଙ୍କୁ ଅର୍ଥନୀତି କ୍ଷେତ୍ରରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ଜେ-ପାଲ ନେଟୱର୍କରେ ୧,୦୦୦ରୁ ଅଧିକ ସହଯୋଗୀ ଗବେଷକ ରହିଛନ୍ତି ଏବଂ ଏହା ଅଧୀନରେ ୨,୫୦୦ରୁ ଅଧିକ ମୂଲ୍ୟାଙ୍କନମୂଳକ ଗବେଷଣା ପ୍ରକଳ୍ପ ଚାଲୁ ରହିଛି କିମ୍ବା ସମ୍ପୂର୍ଣ୍ଣ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା