
- ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ କୋଟିଆ ବିବାଦର ସମାଧାନ କରିବାକୁ ଦାବି କଲେ
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୦୨୪ ବିଜେପି ଇସ୍ତାହାର ମନେ ପକାଇ ଚିଠି ଲେଖି ନବୀନ ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ କୋଟିଆ'ର ସମାଧାନ କରିବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ମଧ୍ୟ କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ।
ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।
କୋଟିଆ ସମ୍ପର୍କରେ ମୁଁ ଅକ୍ଟୋବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତର ଅକ୍ଟୋବର ୨୭ ତାରିଖରେ ପାଇଥିଲି। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମୁଁ ଜାଣିବାକୁ ପାଉଛି ଯେ, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତେଜନା ଓ ମୁହାଁମୁହିଁ ଅବସ୍ଥା ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ କରିଦେଉଛି।
ବର୍ତମାନର ଉତେଜନାପୂର୍ଣ୍ଣ ପରିବେଶ ଏବଂ ଆସନ୍ନ ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ଆପଣ ଆଲୋଚନା ଆରମ୍ଭ କରନ୍ତୁ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆପଣ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ନ୍ୟାୟସଙ୍ଗତ ସ୍ୱାର୍ଥର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ପରିସ୍ଥିତି ଯେପରି ଆଉ ଅଧିକ ଉତେଜନାପୂର୍ଣ୍ଣ ନ ହେବ, ସେ ଦିଗରେ ପଦକ୍ଷେପ ନେବା ଆପଣଙ୍କର ନୈତିକ ଦାୟିତ୍ୱ।
ମୁଁ ଆଶା କରୁଛି, ବିଜେପିର ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଇଥିବା ଗ୍ୟାରେଂଟିକୁ କେବଳ ପ୍ରତିଶ୍ରୁତିରେ ସୀମିତ ନରଖି କାର୍ଯ୍ୟରେ ପରିଣତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା