
ଝାରସୁଗୁଡ଼ା, ୦୪ ନଭେମ୍ବର (ହି.ସ.) - ପଶ୍ଚିମ ଓଡ଼ିଶାର ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ନ୍ୟାଯ୍ୟ ଦାବି ପୂରଣ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ଚାଷୀ ସଂଗଠନଗୁଡ଼ିକ ଅଂଟା ଭିଡ଼ିଛନ୍ତି। ଆସନ୍ତା ନଭେମ୍ବର ୧୧ ତାରିଖରେ ସମ୍ବଲପୁରସ୍ଥିତ ଆର୍ଡିସି କାର୍ଯ୍ୟାଳୟ ଘେରାଉ ସହ ଚାଷୀ ଚେତାବନୀ ମହାସମାବେଶ ଆୟୋଜନ କରାଯିବ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆହ୍ୱାନରେ ହେବାକୁ ଥିବା ଏହି ସମାବେଶରେ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବହୁ ସଂଖ୍ୟାରେ ଚାଷୀ ସାମିଲ ହେବେ। ଏଥିପାଇଁ ଗାଁ ଗାଁରେ ପ୍ରସ୍ତୁତି ବୈଠକ ଓ ସଂଗଠନାତ୍ମକ କାର୍ଯ୍ୟକ୍ରମ ଜୋରଦାର ହୋଇଛି।
ଏହି ପରିପ୍ରେକ୍ଷୀରେ ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ ଆଂଚଳିକ କୃଷକ ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଭାପତି ପଂଚାନନ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ଲଘୁଚାପଜନିତ ଲଗାଣ ବର୍ଷାରେ ଖରିଫ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି, କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ, ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସଠିକ୍ ଶସ୍ୟକାଟ ରିପୋର୍ଟ ପ୍ରସ୍ତୁତି ଓ ଦାଖଲ ଏବଂ ଅମଳ ଧାନ ବିକ୍ରି ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଗଭୀର ଆଲୋଚନା ହୋଇଥିଲା।
ଏଥିସହ ନଭେମ୍ବର ୧୧ରେ ସମ୍ବଲପୁରଠାରେ ହେବାକୁ ଥିବା ଚାଷୀ ଚେତାବନୀ ମହାସମାବେଶକୁ ସଫଳ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଲଖନପୁର ବ୍ଲକର ପ୍ରତ୍ୟେକ ଗ୍ରାମ ପଂଚାୟତରୁ ଅଧିକରୁ ଅଧିକ ଚାଷୀଙ୍କୁ ସମାବେଶରେ ସାମିଲ କରିବାକୁ ଉପସ୍ଥିତ ଚାଷୀମାନେ ସହମତି ପ୍ରକାଶ କରିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ଓ ନ୍ୟାଯ୍ୟ ହକ୍ ହାସଲ ପାଇଁ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ଆନ୍ଦୋଳନରେ ସାମିଲ ହେବାକୁ ମତ ପ୍ରକାଶ ପାଇଥିଲା।
ବୈଠକରେ ଜାମଗାଁ ସମେତ ସମରବଗା, କତରବଗା, ମଚିଦା, ପଲସଦା, ପଂଚଗାଁ, ଅତାବିରା ଓ ଭିକମପାଲି ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଚାଷୀ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ। ଶେଷରେ ବରିଷ୍ଠ ଚାଷୀ ମହେନ୍ଦ୍ର କୁମାର ସାଏ ସଭା ପରିଚାଳନା କରିଥିବାବେଳେ ହିମାଂଶୁ ଭୂଷଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ