
ନୂଆଦିଲ୍ଲୀ, ୪ ନଭେମ୍ବର (ହି.ସ.)। ହିନ୍ଦୁସ୍ଥାନ ସମାଚାରର ଦିଲ୍ଲୀ କାର୍ଯ୍ୟାଳୟରେ ବୁଧବାର ବରିଷ୍ଠ ସାମ୍ବାଦିକ, ଶିଳ୍ପପତି, ରାଜନେତା ତଥା ସୁରକ୍ଷା ସଂସ୍ଥା ଏସ୍ଆଇଏସ୍ର ପ୍ରତିଷ୍ଠାତା ରବୀନ୍ଦ୍ର କିଶୋର ସିହ୍ନା (ଆର୍.କେ. ସିହ୍ନା)ଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ସେ ହିନ୍ଦୁସ୍ଥାନ ସମାଚାର ନ୍ୟୁଜ୍ ଏଜେନ୍ସିର ଅଧ୍ୟକ୍ଷ ଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତ ଅକ୍ଟୋବର ୩୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲ୍ଲୀର ପଞ୍ଚକୁଇଁଆ ରୋଡ୍ସ୍ଥିତ ହିନ୍ଦୁସ୍ଥାନ ସମାଚାରର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସଭାରେ ନ୍ୟୁଜ୍ ଏଜେନ୍ସିର ଗ୍ରୁପ୍ ସମ୍ପାଦକ ରାମବହାଦୁର ରାୟ, ବରିଷ୍ଠ ସାମ୍ବାଦିକ ଅଶୋକ ଟଣ୍ଡନଙ୍କ ସମେତ ସଂସ୍ଥାର ବର୍ତ୍ତମାନ ଓ ପୂର୍ବତନ ସାମ୍ବାଦିକମାନେ ଯୋଗ ଦେଇଥିଲେ। ଏହାବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସଂସ୍ଥାର ସହଯୋଗୀମାନେ ଗୁଗୁଲ୍ ମିଟ୍ ମାଧ୍ୟମରେ ସଭାରେ ସାମିଲ ହୋଇଥିଲେ। ଏହି ଅବସରରେ କେତେକ ସହକର୍ମୀ ଆର୍.କେ. ସିହ୍ନାଙ୍କ ଉଦାରତା, କାର୍ଯ୍ୟଶୈଳୀ ଏବଂ ନ୍ୟୁଜ୍ ଏଜେନ୍ସି ସହ ଜଡ଼ିତ ନିଜ ଅନୁଭୂତି ବାଣ୍ଟିଥିଲେ। ବରିଷ୍ଠ ସାମ୍ବାଦିକ ରାମବହାଦୁର ରାୟ ଜଣେ ବନ୍ଧୁ ଭାବେ ଆର୍.କେ. ସିହ୍ନାଙ୍କୁ ସ୍ମରଣ କରିଥିଲେ। ଏକ କଠିନ ସମୟରେ ସେ କିପରି ନ୍ୟୁଜ୍ ଏଜେନ୍ସିର ଦାୟିତ୍ୱ ଗ୍ରହଣ କରି ଏହାକୁ ସାମ୍ବାଦିକତା କ୍ଷେତ୍ରରେ ଆଗକୁ ନେବା ପାଇଁ ଉଦ୍ୟମ କରିଥିଲେ, ସେ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଜଣେ ଶିଳ୍ପପତି ଓ ରାଜ୍ୟସଭା ସାଂସଦ ହେବା ସତ୍ତ୍ୱେ ଲେଖାଲେଖି ପ୍ରତି ତାଙ୍କର ଥିବା ଗଭୀର ରୁଚିକୁ ରାୟ ବିଶେଷ ଭାବେ ଉଲ୍ଲେଖ କରିଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ଅଶୋକ ଟଣ୍ଡନ ତାଙ୍କୁ ଜଣେ ବନ୍ଧୁ, ସାମ୍ବାଦିକ ଏବଂ ସ୍ୱର୍ଗତ ବାଳେଶ୍ୱର ଅଗ୍ରୱାଲଙ୍କ ସହ କାର୍ଯ୍ୟ କରିଥିବା ସମୟର ସହଯୋଗୀ ଭାବେ ସ୍ମରଣ କରିଥିଲେ। ବାଳେଶ୍ୱର ଅଗ୍ରୱାଲଙ୍କ ପ୍ରେରଣାରେ ଆର୍.କେ. ସିହ୍ନା କିପରି ହିନ୍ଦୁସ୍ଥାନ ସମାଚାର ସହ ଯୋଡ଼ି ହୋଇଥିଲେ ଏବଂ ଏହାର ଦାୟିତ୍ୱ ଗ୍ରହଣ କରିଥିଲେ, ସେ ସମ୍ପର୍କରେ ଟଣ୍ଡନ ନିଜ ଅନୁଭୂତି ବଖାଣିଥିଲେ। ଶେଷରେ ହିନ୍ଦୁସ୍ଥାନ ସମାଚାରର ସହକର୍ମୀମାନେ ସ୍ୱର୍ଗତ ଡ. ସିହ୍ନାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / Sachin Budhauliya