
ଇନ୍ଦୋର,
୪ ନଭେମ୍ବର (ହି.ସ.)ରାଷ୍ଟ୍ରୀୟ
ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ତିନିଦିନିଆ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ସମାପନ
ପରେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ସଂଘର ଶତାବ୍ଦୀ
ବର୍ଷର ଉପଲବ୍ଧି, ସାଂଗଠନିକ
ବିସ୍ତାର, ସାମାଜିକ
ସମରସତା, ସଂରକ୍ଷଣ, ଯୁବପିଢ଼ିର
ଆହ୍ୱାନ, ବିପର୍ଯ୍ୟୟ
ସମୟରେ ରିଲିଫ୍ କାର୍ଯ୍ୟ ଏବଂ ସଂଘର ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଏହି ଅବସରରେ ଓଡ଼ିଶାର କନ୍ଧମାଳ ଜନଜାତି ବହୁଳ ଅଞ୍ଚଳରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ
ସ୍ୱଧର୍ମ ଜାଗରଣ ପାଇଁ ନିଜର ସମଗ୍ର ଜୀବନ ସମର୍ପିତ କରିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ
ଜନ୍ମଶତବାର୍ଷିକୀ ଅବସରରେ ତାଙ୍କ ଜୀବନ ଓ ଅବଦାନ ସମ୍ପର୍କରେ ହୋସବାଲେ ଏକ ସ୍ୱତନ୍ତ୍ର ବକ୍ତବ୍ୟ
ରଖିଥିଲେ।
ସେ କହିଥିଲେ ଯେ, ଭଗବାନ
ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାର ସମାଜକୁ ଦିଗଦର୍ଶନ ଦେବାରେ ଅନେକ ମହାନ ବିଭୂତିଙ୍କ
ଅବଦାନ ରହିଛି। ଏହି ମହାନ ପରମ୍ପରାର ଅନ୍ୟତମ ଉଜ୍ଜ୍ୱଳ ନକ୍ଷତ୍ର ହେଉଛନ୍ତି ସ୍ୱାମୀ
ଲକ୍ଷ୍ମଣାନନ୍ଦ ସରସ୍ୱତୀ। ୧୯୨୬ ଅଗଷ୍ଟ ୧୫ ତାରିଖରେ ଅନୁଗୁଳ ଜିଲ୍ଲାର ଗୁରୁଜାଙ୍ଗ ଗ୍ରାମରେ
ଜନ୍ମଗ୍ରହଣ କରିଥିବା ସ୍ୱାମୀଜୀ ଜଣେ ଅସାଧାରଣ ସନ୍ଥ ଥିଲେ। ହିନ୍ଦୁ ବିରୋଧୀ ଶକ୍ତିଙ୍କ ସହ
ସଂଘର୍ଷ କରି ସେ ବୀରଗତି ପ୍ରାପ୍ତ କରିଥିଲେ।
ଯୁବାବସ୍ଥାରେ ସ୍ୱାମୀଜୀ ପ୍ରଜାମଣ୍ଡଳ ଆନ୍ଦୋଳନ ସହ ଜଡ଼ିତ ହୋଇ ସ୍ୱାଧୀନତା ସଂଗ୍ରାମରେ
ସାମିଲ ହୋଇଥିଲେ। ବିବାହ ପରେ ଦୀକ୍ଷା ଗ୍ରହଣ କରି ସେ ସନ୍ନ୍ୟାସ ଜୀବନ ଆପଣାଇଥିଲେ। ଏହାପରେ
ହିନ୍ଦୁ ଧର୍ମଶାସ୍ତ୍ର ଓ ସଂସ୍କୃତ ବ୍ୟାକରଣର ଗଭୀର ଅଧ୍ୟୟନ କରିଥିଲେ।
କନ୍ଧମାଳ ଅଞ୍ଚଳରେ ସକ୍ରିୟ ରାଷ୍ଟ୍ରବିରୋଧୀ ତତ୍ତ୍ୱଙ୍କ ବିରୋଧରେ ଦୃଢ଼ତାର ସହ ଠିଆ ହେବା
ପାଇଁ ସେ ସେହି ଅଞ୍ଚଳର ଚକାପାଦକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଥିଲେ। ଆଧ୍ୟାତ୍ମିକତାକୁ
ଆଧାର କରି ଜନଜାତି ସମାଜର ଭୌତିକ ଉନ୍ନତି ସହିତ ନିଜ ସଂସ୍କୃତି ପ୍ରତି ସ୍ୱାଭିମାନ ଜାଗ୍ରତ
କରିବା ଦିଗରେ ସେ ବ୍ୟାପକ ପ୍ରୟାସ କରିଥିଲେ।
ସଂସ୍କୃତ ଶିକ୍ଷା, ମହିଳା
ଭଜନ କେନ୍ଦ୍ର, କୃଷି, ଗୋପାଳନ ଓ ଜଳ
ସଂରକ୍ଷଣ ଭଳି କାର୍ଯ୍ୟ ପାଇଁ ସେ ଜନଜାତି ସମାଜକୁ ପ୍ରେରିତ କରିଥିଲେ। ଏହା ମାଧ୍ୟମରେ
ସେମାନଙ୍କୁ ସ୍ୱାଭିମାନ ଓ ସ୍ୱାବଲମ୍ବନର ପଥ ଦେଖାଇଥିଲେ। ଶୁଦ୍ଧି ଯଜ୍ଞ ଆୟୋଜନ କରି ସେ ଜନଜାତି
ସମାଜକୁ ସଦାଚାର ପାଳନ ପାଇଁ ସଂକଳ୍ପବଦ୍ଧ କରାଉଥିଲେ।
ସ୍ଥାନୀୟ ସମାଜର ଆସ୍ଥା ଓ ଶ୍ରଦ୍ଧାର ପ୍ରତୀକ 'ଧରଣୀପେନୁ'ଙ୍କ ପୂଜା
ପରମ୍ପରାକୁ ସମସାମୟିକ ପରିପ୍ରେକ୍ଷୀରେ ଉପସ୍ଥାପନ କରି ସ୍ୱାମୀଜୀ ସମାଜର ସାଂସ୍କୃତିକ
ମୂଳଦୁଆକୁ ଆହୁରି ମଜବୁତ କରିଥିଲେ। ଭଗବାନ ଶ୍ରୀଜଗନ୍ନାଥଙ୍କ ଯାତ୍ରା ଏବଂ ଯଜ୍ଞ ଆଦିର ଆୟୋଜନ
ମାଧ୍ୟମରେ ସେ ଅଞ୍ଚଳର ଲୋକଙ୍କ ମଧ୍ୟରେ ନିଜର ଧାର୍ମିକ ଆସ୍ଥାକୁ ସୁଦୃଢ଼ କରିବା ସହ ପାରମ୍ପରିକ
ମୂଲ୍ୟବୋଧ ପ୍ରତି ଗର୍ବ ଓ ଗୌରବର ଭାବନା ଜାଗ୍ରତ କରିଥିଲେ।
ଏହି ଉଦ୍ଦେଶ୍ୟରେ ସେ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ, ତୁଳସୀ ଗଛର ମାଟି ଓ ପତ୍ର ଏବଂ ଗଙ୍ଗାଜଳର ବ୍ୟବହାର କରି ଘରବାହୁଡ଼ା
ପ୍ରକ୍ରିୟାକୁ ସରଳ ଓ ସୁଗମ କରିଥିଲେ।
ସ୍ୱାମୀଜୀଙ୍କ ଏହି ସମସ୍ତ ପ୍ରୟାସ ଫଳରେ ସେଠାରେ ସକ୍ରିୟ ଅସାମାଜିକ ଓ ରାଷ୍ଟ୍ରବିରୋଧୀ
ତତ୍ତ୍ୱମାନେ ଅସହଜ ଅନୁଭବ କରିବାକୁ ଲାଗିଥିଲେ। ସେମାନେ ସ୍ୱାମୀଜୀଙ୍କ ଉପରେ ଅନେକଥର
ପ୍ରତ୍ୟକ୍ଷ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ୱାମୀଜୀ ଆହୁରି ଅଧିକ ଦୃଢ଼ତାର ସହ
ନିଜ କର୍ମକ୍ଷେତ୍ରରେ ଅବିଚଳ ରହି ନିରନ୍ତର ସେବାକାର୍ଯ୍ୟ ଜାରି ରଖିଥିଲେ।
ଶେଷରେ ଅସହିଷ୍ଣୁ କଟ୍ଟରପନ୍ଥୀ ଶକ୍ତିମାନେ ଜନ୍ମାଷ୍ଟମୀର ପବିତ୍ର ଦିନରେ ଜଳେଶପଟ୍ଟା
ଆଶ୍ରମ ଉପରେ ଆକ୍ରମଣ କରି ସ୍ୱାମୀଜୀଙ୍କ ସମେତ ତାଙ୍କର ଅନ୍ୟ ଚାରିଜଣ ଶିଷ୍ୟଙ୍କୁ ନିର୍ମମ ଭାବେ
ହତ୍ୟା କରିଥିଲେ।
ମହାନ ବଳିଦାନୀ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ ମାତୃଭୂମି ଓ ଧର୍ମର
ସୁରକ୍ଷା ପାଇଁ ସମର୍ପିତ ଥିଲା। ଏହି ପବିତ୍ର କାର୍ଯ୍ୟ ହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ
ଥିଲା। ତାଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ପରସ୍ପରଠାରୁ ଅଭିନ୍ନ ଥିଲା, ଯାହା ତାଙ୍କ
ବିଚାର ଓ ଆଚରଣ ମଧ୍ୟରେ ଥିବା ଅଖଣ୍ଡ ଏକାତ୍ମତାକୁ ପ୍ରତିଫଳିତ କରୁଥିଲା।
ଆଜି ମଧ୍ୟ ଅନେକ କାର୍ଯ୍ୟକର୍ତ୍ତା ସ୍ୱାମୀଜୀଙ୍କ ବଳିଦାନରୁ ପ୍ରେରଣା ଗ୍ରହଣ କରି ଧାର୍ମିକ
ଆସ୍ଥାର ସୁଦୃଢ଼ୀକରଣ ଓ ପରମ୍ପରାର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଛନ୍ତି। ବେଦାନ୍ତ କେଶରୀ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ତାଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ହୋସବାଲେ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ