
ଝାରସୁଗୁଡ଼ା, 04 ନଭେମ୍ବର (ହି.ସ.): କୋଲାବିରା ବ୍ଲକ ଅଧୀନରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ତଥା ଭିତ୍ତିଭୂମି ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଆଜି ଗସ୍ତ କରିଛନ୍ତି। ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ କେନ୍ଦ୍ରରେ ଉପସ୍ଥିତ କୁନିକୁନି ଶିଶୁ ଏବଂ ସେମାନଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରି କେନ୍ଦ୍ରରୁ ମିଳୁଥିବା ସୁବିଧା ସୁଯୋଗ ଓ ଶିକ୍ଷାଦାନ ବ୍ୟବସ୍ଥାର ତୃଣମୂଳ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଗସ୍ତ ସମୟରେ ଶ୍ରୀ ପଣ୍ଡା ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ କରାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ଶୌଚାଳୟ, ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ଏବଂ ସୁରକ୍ଷା ପାଇଁ କେନ୍ଦ୍ର ଚାରିପାଖରେ ଉପଯୁକ୍ତ ପାଚେରି ନିର୍ମାଣ ସୁନିଶ୍ଚିତ କରିବାକୁ ସେ ଉପସ୍ଥିତ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଶିଶୁମାନଙ୍କ ସଠିକ୍ ପୁଷ୍ଟିକର ଆହାର ଯୋଗାଣ ଏବଂ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।କେନ୍ଦ୍ରର ସମସ୍ତ ମାନଦଣ୍ଡ ତଥା ପରିଚାଳନା ବ୍ୟବସ୍ଥାକୁ ନିୟମିତ ତଦାରଖ କରିବା ସହ ଦାୟିତ୍ୱବାନ ଭାବେ କାର୍ଯ୍ୟ ତୁଲାଇବାକୁ ସୁପରଭାଇଜର ଏବଂ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ