
କେନ୍ଦ୍ରାପଡ଼ା, ୦୪ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ, ଉନ୍ନୟନମୂଳକ ଯୋଜନାର ସୁଚାରୁ ରୂପାୟଣ ଏବଂ ଜିଲ୍ଲାର ପ୍ରାଥମିକତାଭିତିକ ଆବଶ୍ୟକତା ଉପରେ ଆଲୋଚନା ନିମନ୍ତେ ୧୯ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ମାନ୍ୟବର ବିଧାୟକ ମହାକାଳପଡ଼ା ଦୁର୍ଗା ପ୍ରସନ୍ନ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଅଧ୍ୟକ୍ଷତାରେ ଏହା ତାଙ୍କର ପ୍ରଥମ ବୈଠକ ଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଉନ୍ନୟନମୂଳକ କାର୍ୟ୍ୟ, ସରକାରୀ ଯୋଜନାର ଅଗ୍ରଗତି, ଭିତିଭୂମି ବିକାଶ, ଜନସାଧାରଣଙ୍କ ମୌଳିକ ସୁବିଧା ଏବଂ ବିଭିନ୍ନ ବିଭାଗର କାର୍ୟ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାର ଆବଶ୍ୟକତା ଓ ସ୍ଥାନୀୟ ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ଗୁରୁତ୍ୱ ଦେଇ ବିକାଶମୂଳକ ଯୋଜନା ପ୍ରସ୍ତୁତି ଓ ରୂପାୟଣ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ଜିଲ୍ଲାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଓ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବିକାଶମୂଳକ ଯୋଜନାଗୁଡ଼ିକ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ଗୁଣାତ୍ମକ ଭାବେ କାର୍ୟ୍ୟକାରୀ ହୁଏ, ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।ବୈଠକରେ ଜିଲ୍ଲାର କୃଷି କ୍ଷେତ୍ରର ବିକାଶ, ଜଳସେଚନ ସୁବିଧାର ସମ୍ପ୍ରସାରଣ ଓ ଉନ୍ନତିକରଣ ଉପରେ ମତାମତ ଆଦାନପ୍ରଦାନ କରାଯାଇଥିଲା। ଚାଷଜମିକୁ ନିୟମିତ ଜଳ ଯୋଗାଣ ଏବଂ ଜଳସମ୍ପଦର ସୁବିନିଯୋଗ ମାଧ୍ୟମରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା ହୋଇଥିଲା।ସେହିପରି ଜିଲ୍ଲାର ପର୍ୟ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ଇକୋ-ଟୁରିଜିମ୍ ଓ ପର୍ଯ୍ୟଟନ ଭିତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ପ୍ରାକୃତିକ ସମ୍ପଦ, ଐତିହାସିକ ଓ ପର୍ୟ୍ୟଟନସ୍ଥଳୀଗୁଡ଼ିକର ସୁରକ୍ଷା, ଉନ୍ନତିକରଣ ଏବଂ ପର୍ୟ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୃଷ୍ଟି ଉପରେ ଆଲୋଚନା ହୋଇଥିଲା। ଏହାଦ୍ୱାରା ସ୍ଥାନୀୟ ଅର୍ଥନୀତି ଓ ଜୀବିକାର ସୁଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ଭିତିଭୂମି ସୁଦୃଢ଼ୀକରଣ, ପାନୀୟଜଳ,ଟଇଲେ ବ୍ୟବସ୍ଥା ଆଦି ଆଲୋଚନା କରାଯାଇଥିଲା। ଏଥିସହିତ ଜିଲ୍ଲାର ସମସ୍ତ ଅଂଚଳରେ ନିରାପଦ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା, ଜଳଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ଏବଂ ଆବଶ୍ୟକ ସ୍ଥାନରେ ଜଳଯୋଗାଣ ଭିତିଭୂମିର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ଜଳନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ଡ୍ରେନେଜ୍ ବ୍ୟବସ୍ଥାର ସମ୍ପ୍ରସାରଣ ଓ ନିୟମିତ ରକ୍ଷଣାବେକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମତାମତ ଦିଆଯାଇଥିଲା। କେନ୍ଦ୍ରାପଡ଼ା ଏକ ଉପକୂଳବର୍ତୀ ଜିଲ୍ଲା ହୋଇଥିବାରୁ ବିପର୍ୟ୍ୟୟ ପରିଚାଳନା ଯୋଜନାର ପ୍ରସ୍ତୁତି ଓ ସୁଦୃଢ଼ୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆଦି ଆଲୋଚନା ହୋଇଥିଲା ଜ୍ଝବୈଠକରେ କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ରାଜନଗରର ବିଧାୟକ ଶ୍ରୀ ଧ୍ରୁବ ସାହୁ, ପାଟକୁରାର ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ ଏବଂ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଯୋଗଦେଇଥିଲେ। ଏଥିସହିତ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର,ଜିଲ୍ଲା ଯୋଜନା କମିଟିରେ ସଦସ୍ୟସଦସ୍ୟା, ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦ୍ଦେଶକ ଆରତୀ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରକ୍ଷା, ଯୋଜନାଗୁଡ଼ିକର ନିୟମିତ ସମୀକ୍ଷା, କାର୍ଯ୍ୟର ଅଗ୍ରଗତି ତଦାରଖ ଏବଂ ଲୋକାଭିମୁଖୀ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ମତାମତ ଆଦାନପ୍ରଦାନ ହୋଇଥିଲା। ବିଭିନ୍ନ ଅଂଚଳର ସମସ୍ୟା, ଆବଶ୍ୟକତା ଓ ବିକାଶମୂଳକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ଯୋଜନା କମିଟି ହେଉଛି ଜିଲ୍ଲାର ବିଭିନ୍ନ ଅଂଚଳର ଆବଶ୍ୟକତାକୁ ଚିହ୍ନଟ କରି ସମନ୍ୱିତ ଓ ସନ୍ତୁଳିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତି ଓ ସମୀକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ମଂଚ। କୃଷି, ଶିକ୍ଷା, ପର୍ୟ୍ୟଟନ, ପାନୀୟଜଳ, ଜଳସେଚନ, ଜଳନିଷ୍କାସନ ଓ ବିପର୍ୟ୍ୟୟ ପରିଚାଳନା ଭଳି ପ୍ରାଥମିକତା କ୍ଷେତ୍ରରେ ସମନ୍ୱିତ ଯୋଜନା ଓ ପ୍ରଭାବଶାଳୀ ରୂପାୟଣ ମାଧ୍ୟମରେ ଜିଲ୍ଲାର ସାମଗ୍ରିକ ବିକାଶକୁ ଆଗେଇ ନେବା ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି