
ଘଟଗାଁ , ୫ ନଭେମ୍ବର (ହି.ସ.) - ଘଟଗାଁ ମା’ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ବ୍ୟବହାର ପାଇଁ ରଖାଯାଇଥିବା ରଡ୍ ରିଙ୍ଗ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ରଡ୍ ନେବା ପାଇଁ ବ୍ୟବହୃତ ଏକ ଗାଡ଼ିକୁ ଘଟଗାଁ ପୁଲିସ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିବା ଗାଡ଼ି ମାଲିକଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ମନ୍ଦିର ପରିସରର ସିସିଟିଭି କ୍ୟାମେରାରେ ରଡ୍ ରିଙ୍ଗ ବସ୍ତାରେ ଭର୍ତି କରି ଗାଡ଼ିରେ ନେବାର ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମା’ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରରେ ବିଭିନ୍ନ ଉନ୍ନୟନ ଓ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଥିପାଇଁ ଆବଶ୍ୟକ ରଡ୍ ରିଙ୍ଗଗୁଡ଼ିକୁ ବସ୍ତାରେ ଭର୍ତି କରି ହୁଣ୍ଡାଇ କମ୍ପାନୀର ଏକ ଭିଆଇପି ଗାଡ଼ି (ନଂ. ଓଡ଼ି-୦୯-ଟି-୧୭୬୨) ଯୋଗେ ନିଆଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଘଟଗାଁ ପୁଲିସ ଗାଡ଼ିଟିକୁ ଜବତ କରିଥିଲା। ଏଥିସହ ଗାଡ଼ି ମାଲିକ ଦାରୁବ୍ରହ୍ମ ପଲେଇଙ୍କୁ ପୁଲିସ ପଚରାଉଚରା ପାଇଁ କାବୁ କରିଥିବା ସୂଚନା ମିଳିଛି।
ତେବେ ଗାଡ଼ି ମାଲିକ ଘରେ କିଛି କାମ ଥିବା କହି ଯାଇଥିବା ପରେ ପୁଲିସକୁ ଆଉ ମିଳିନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗାଡ଼ିଟିକୁ ପୁଲିସ ଜବତ କରି ଘଟଣାର ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି। ଚୋରି ହୋଇଥିବା ରଡ୍ ରିଙ୍ଗର ପରିମାଣ, ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଘଟଣାର ପ୍ରକୃତ ସତ୍ୟତା କ’ଣ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ