ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନ ଫେରିଲେ ୪୯ ଜଣ ଶିଖ ଶ୍ରଦ୍ଧାଳୁ - ବିମାନ ଯାତ୍ରା ଖର୍ଚ୍ଚ ବଂଚିଥିବାରୁ କୃତଜ୍ଞତା ଜଣାଇଲେ ଶ୍ରଦ୍ଧାଳୁ
ଅମୃତସର, ୦୫ ନଭେମ୍ବର (ହି.ସ.)- ପାକିସ୍ତାନରୁ ଭାରତକୁ ଧାର୍ମିକ ଯାତ୍ରାରେ ଆସିଥିବା ୪୯ ଜଣ ଶିଖ ଶ୍ରଦ୍ଧାଳୁଙ୍କ ଏକ ଜଥା ଅଟାରୀ-ୱାଘା ସୀମା ଦେଇ ନିଜ ଦେଶକୁ ଫେରିଛନ୍ତି। ଦିଲ୍ଲୀ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ହସ୍ତକ୍ଷେପ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶ୍ରଦ୍ଧାଳୁମାନଙ୍କୁ ସଡ଼କ ପଥରେ ପାକି
ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନ ଫେରିଲେ ୪୯ ଜଣ ଶିଖ ଶ୍ରଦ୍ଧାଳୁ - ବିମାନ ଯାତ୍ରା ଖର୍ଚ୍ଚ ବଂଚିଥିବାରୁ କୃତଜ୍ଞତା ଜଣାଇଲେ ଶ୍ରଦ୍ଧାଳୁ


ଅମୃତସର, ୦୫ ନଭେମ୍ବର (ହି.ସ.)- ପାକିସ୍ତାନରୁ ଭାରତକୁ ଧାର୍ମିକ ଯାତ୍ରାରେ ଆସିଥିବା ୪୯ ଜଣ ଶିଖ ଶ୍ରଦ୍ଧାଳୁଙ୍କ ଏକ ଜଥା ଅଟାରୀ-ୱାଘା ସୀମା ଦେଇ ନିଜ ଦେଶକୁ ଫେରିଛନ୍ତି। ଦିଲ୍ଲୀ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ହସ୍ତକ୍ଷେପ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶ୍ରଦ୍ଧାଳୁମାନଙ୍କୁ ସଡ଼କ ପଥରେ ପାକିସ୍ତାନ ଫେରିବା ପାଇଁ ସ୍ୱତନ୍ତ୍ର ଅନୁମତି ଦେଇଥିଲା। ଫଳରେ ବିମାନ ଯାତ୍ରାରେ ହେବାକୁ ଥିବା ବିପୁଳ ଖର୍ଚ୍ଚରୁ ସେମାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ଜଥାରେ ପେଶାୱର, ପଞ୍ଜା ସାହିବ, ଲାହୋର ଓ ନନକାନା ସାହିବର ଶ୍ରଦ୍ଧାଳୁ ସାମିଲ ଥିଲେ।

ଜମ୍ମୁ-କଶ୍ମୀରର ପହଲଗାମରେ ଗତବର୍ଷ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ୨୦୨୫ ମେ ୧ ତାରିଖରୁ ଅଟାରୀ-ୱାଘା ସୀମା ସାଧାରଣ ଯାତ୍ରୀଙ୍କ ପାଇଁ ବନ୍ଦ ରହିଛି। ବର୍ତମାନ କେବଳ ନିର୍ଦ୍ଧାରିତ ଧାର୍ମିକ ଅବସରରେ ୧୯୭୪ ମସିହାର ଧାର୍ମିକ ତୀର୍ଥଯାତ୍ରା ପ୍ରୋଟୋକଲ ଅନୁଯାୟୀ ଭାରତ-ପାକିସ୍ତାନ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ଅନୁମତି ଦିଆଯାଉଛି।

ପାକିସ୍ତାନୀ ଶିଖ ଶ୍ରଦ୍ଧାଳୁମାନେ ଅକ୍ଟୋବର ୮ ତାରିଖରେ ଲାହୋର-ତାସକେଂଟ-ନୂଆଦିଲ୍ଲୀ ବିମାନ ମାର୍ଗରେ ଭାରତ ଆସିଥିଲେ। ସେମାନଙ୍କ ଭିସା ଅବଧି ନଭେମ୍ବର ୬ ତାରିଖରେ ଶେଷ ହେବାକୁ ଥିବାବେଳେ ପ୍ରଥମେ ବିମାନ ଯୋଗେ ଫେରିବାର ବ୍ୟବସ୍ଥା ହୋଇଥିଲା। ଶ୍ରଦ୍ଧାଳୁଙ୍କ ପ୍ରତ୍ୟାବର୍ତନ ପାଇଁ ସ୍ୱତନ୍ତ୍ର ଅନୁମତି ଏବଂ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ଡିଏସ୍ଜିଏମ୍ସିର ଏନ୍ଆରଆଇ ବ୍ୟାପାର ମୁଖ୍ୟ ପରାମର୍ଶଦାତା ପରମଜିତ ସିଂହ ଚଣ୍ଡୋକ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ।

ଜଥାର ମୁଖ୍ୟ ପପିନ୍ଦର ସିଂହ ଭାରତ ଓ ପାକିସ୍ତାନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଶିଖମାନେ ସେହି ଐତିହାସିକ ଗୁରୁଦ୍ୱାରଗୁଡ଼ିକର ଦର୍ଶନ କରିବାକୁ ଇଚ୍ଛା ରଖିଥାନ୍ତି, ଯେଉଁଗୁଡ଼ିକ ୧୯୪୭ ମସିହାର ବିଭାଜନ ପରେ ସୀମାର ଅନ୍ୟ ପାର୍ଶ୍ୱରେ ରହିଯାଇଛି। ଏହି ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ ହରମନ୍ଦିର ସାହିବରେ ଗୁରୁ ରାମଦାସ ଜୀଙ୍କ ପ୍ରକାଶ ପର୍ବ ସମାରୋହରେ ସାମିଲ ହେବାର ସୌଭାଗ୍ୟ ପାଇଥିଲେ। ଏହାବ୍ୟତୀତ ଜଥାର ପ୍ରାୟ ୪୦ ଜଣ ଶ୍ରଦ୍ଧାଳୁ ଉତରାଖଣ୍ଡସ୍ଥିତ ଗୁରୁଦ୍ୱାରା ଶ୍ରୀ ହେମକୁଣ୍ଡ ସାହିବ ଦର୍ଶନ ମଧ୍ୟ କରିଥିଲେ।

ଶ୍ରଦ୍ଧାଳୁମାନେ ଦିଲ୍ଲୀର ଗୁରୁଦ୍ୱାରା ବଙ୍ଗଳା ସାହିବ, ରକାବଗଞ୍ଜ ସାହିବ, ଶୀଶଗଞ୍ଜ ସାହିବ ସମେତ ଅନେକ ଐତିହାସିକ ଗୁରୁଦ୍ୱାରରେ ମଥା ଟେକିଥିଲେ। ଏହାଛଡ଼ା ଆନନ୍ଦପୁର ସାହିବସ୍ଥିତ ତଖତ କେଶଗଡ଼ ସାହିବ ଏବଂ ଅମୃତସରର ହରମନ୍ଦିର ସାହିବରେ ମଧ୍ୟ ମଥା ଟେକିଥିଲେ। ଜଥାର ଅନେକ ସଦସ୍ୟ ଭାରତରେ ରହୁଥିବା ନିଜ ସମ୍ପର୍କୀୟଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande