
ଭଦ୍ରକ, ୫ ନଭେମ୍ବର (ହି.ସ.) - ଏହି ଜିଲାର ଚାନ୍ଦବାଲି ଠାରେ ଥିବା ବାଣିଜ୍ୟ ବିଭାଗ ର ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ବିଭାଗ ବିଭନ୍ନ ଅନିୟମିତତା ଦେଖା ଦେଇଛି। ଏହି ବିଭାଗ ଜୁନିୟର ଇଞ୍ଜିନିୟରଙ୍କୁ ସହକାରୀ ଯନ୍ତ୍ରୀ ଦାୟିତ୍ୱ ଓ ଚାନ୍ଦବାଲି ଉପଖଣ୍ଡ ଅଧିକାରୀ ପଦବୀ ମଧ୍ୟ ପ୍ରଦାନ କରାଯାଇଛି। ସମ୍ପୃକ୍ତ ଅଧିକାରୀ ଙ୍କ ବଦଳି ଆଦେଶକୁ ନେଇ ବିବାଦ,ଦେଖାଦେଇଛି।ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନସ୍ଥ ବନ୍ଦର ଓ ଆନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗ ରେ ଘଟିଥିବା କିଛି ଘଟଣା ଏବେ ସରକାରୀ ଆଦେଶର କାର୍ଯ୍ୟକାରିତା ଓ ପ୍ରଶାସନିକ ଶୃଙ୍ଖଳାକୁ ପ୍ରଶ୍ନ। ଦୀର୍ଘଦିନ ଧରି ଚାଲିଥିବା ଡେପୁଟେସନ୍ ଓ ବଦଳି ବିବାଦ ଏବେ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ନିଜ ମୂଳ ବିଭାଗ ଜଳସମ୍ପଦ ବିଭାଗରୁ ଡେପୁଟେସନ୍ରେ ବାଣିଜ୍ୟ ଓ ପରିବହନ ବିଭାଗ କୁ ଆସି କାର୍ଯ୍ୟରତ ଥିଲେ।ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ତାଙ୍କୁ ବାଣିଜ୍ୟ ବିଭାଗ ର ପୂର୍ବତନ ନିର୍ଦେଶକ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଏବଂ ତାଙ୍କୁ ଚାନ୍ଦବାଲି ଯାତ୍ରୀବାହୀ ଲଞ୍ଚ ବିଭାଗ ରେ ଉପଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା।ମୂଳ ବିଭାଗରେ କନିଷ୍ଠ ଯନ୍ତ୍ରୀ ପଦବୀରେ ଥିବା ଜଣେ କର୍ମଚାରୀଙ୍କୁ କେଉଁ ପ୍ରଶାସନିକ ଆଧାରରେ ଏବଂ କେଉଁ ନିୟମ ଅନୁଯାୟୀ ଏପରି ଉଚ୍ଚତର ଦାୟିତ୍ୱ ଦିଆଯାଇଥିଲା, ତାହା ଏବେ ଏକ ବଡ଼ ପ୍ରଶ୍ନ। ଏହି ଦାୟିତ୍ୱ ନ୍ୟସ୍ତ କରିବା ପଛରେ ଆବଶ୍ୟକ ଅନୁମୋଦନ ଓ ନିୟମାନୁଯାଇ ପ୍ରକ୍ରିୟା ପାଳନ କରାଯାଇଥିଲା ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ରେ ପୁଙ୍ଖାନୁପୁଙ୍ଖ ଯାଂଚ ହେବା ଆବଶ୍ୟକ।ଅନ୍ୟପକ୍ଷରେ, ଗତ ମାସରେ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ନିଜ ମୂଳ ବିଭାଗକୁ ଫେରାଇ ନେବା ସହ ଭୁବନେଶ୍ୱରସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ କରିବା ଏବଂ ତାଙ୍କ ସ୍ଥାନରେ ଅର୍ଜୁନ ଦାସଙ୍କୁ ବାଣିଜ୍ୟ ବିଭାଗ କୁ ଡେପୁଟେସନ୍ରେ ପଠାଇବା ସମ୍ପର୍କରେ ସରକାରୀ ଆଦେଶ ଜାରି ହୋଇଥିଲା। କିନ୍ତୁ ଆଦେଶ ଜାରି ହେବାର ପ୍ରାୟ ଏକ ମାସ ପରେ ମଧ୍ୟ ଏହାର ଠିକ୍ ଭାବେ କାର୍ଯ୍ୟକାରିତା ହୋଇନଥିବା ଅଭିଯୋଗ ହେଉଛି।ଅଭିଯୋଗ ଅନୁଯାୟୀ, ୨୭.୧୦.୨୦୨୬ ତାରିଖ ଅପରାହ୍ନରେ ସାହୁଙ୍କୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ନିର୍ଦ୍ଦେଶକ ଶ୍ରୀ ବୈକୁଣ୍ଠନାଥ ମାନସିଂହଙ୍କ ପକ୍ଷରୁ ତାହା ତତ୍କାଳ କାର୍ଯ୍ୟକାରୀ କରାଯାଇନଥିଲା। ଏହା ପଛରେ କେଉଁ ପ୍ରଶାସନିକ କାରଣ ରହିଥିଲା, ତାହା ସ୍ପଷ୍ଟ ହେବା ଆବଶ୍ୟକ।ପରବର୍ତୀ ସମୟରେ, ୩୧.୧୦.୨୦୨୬ ତାରିଖରେ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସାହୁଙ୍କୁ ସଂଗଠନରୁ ଅବ୍ୟାହତି ଦିଆଯାଇଥିବା ସୂଚନା ମିଳିଛି। କିନ୍ତୁ ଅଭିଯୋଗ ହେଉଛି ଯେ, ସେହି ଦିନ ନିର୍ଦ୍ଦେଶକ ଶ୍ରୀ ବୈକୁଣ୍ଠନାଥ ମାନସିଂହ ତାଙ୍କୁ ତତ୍କାଳ ରିଲିଭ୍ କରିବା ପରିବର୍ତେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏକ ପତ୍ର ଜାରି କରିଥିଲେ। ଉକ୍ତ ପତ୍ରରେ ଶ୍ରୀମତୀ ସାହୁ ୩୦.୧୦.୨୦୨୬ ତାରିଖରୁ ଛୁଟିରେ ଯାଇଥିବା ଦର୍ଶାଯାଇଥିବା ଅଭିଯୋଗ ରହିଛି। ଏଠାରେ ପ୍ରଶ୍ନ ଉଠୁଛି—୩୧.୧୦.୨୦୨୬ ତାରିଖରେ ବିଭାଗୀୟ ସ୍ତରରୁ ଅବ୍ୟାହତି ଆଦେଶ ଜାରି ହୋଇଥିବା ସମୟରେ, ୩୦.୧୦.୨୦୨୬ ତାରିଖର ଛୁଟି ସମ୍ପର୍କିତ ପତ୍ର ଜାରି କରିବାର ଆବଶ୍ୟକତା କାହିଁକି ପଡ଼ିଲା। ଛୁଟି ଆବେଦନ କେବେ ଦାଖଲ ହୋଇଥିଲା, କେବେ ମଞ୍ଜୁର ହୋଇଥିଲା ଏବଂ ଏହାର ଆଦେଶ କେଉଁ ତାରିଖରେ ଜାରି ହୋଇଥିଲା। ଏହି ସମସ୍ତ ତଥ୍ୟ ସରକାରୀ ରେକର୍ଡ ଆଧାରରେ ଯାଂଚ ହେବା ଆବଶ୍ୟକ। ଯଦି ଛୁଟି ମଞ୍ଜୁରିକୁ ବିଭାଗୀୟ ରିଲିଭି ଆଦେଶର କାର୍ଯ୍ୟକାରିତାକୁ ବିଳମ୍ବିତ କରିବା ବା ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଇଥାଏ, ତେବେ ଏହା ଗୁରୁତର ପ୍ରଶାସନିକ ଅନିୟମିତତାର ବିଷୟ ହେବ।ଏହି ସମଗ୍ର ଘଟଣାରେ ନିର୍ଦ୍ଦେଶକଙ୍କ ଭୂମିକା ଓ ନିଷ୍ପତିଗୁଡ଼ିକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ, ସମ୍ପୃକ୍ତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ମଧ୍ୟ ଯାଂଚ ପରିସରକୁ ଆସିବା ଉଚିତ। କିଏ କେଉଁ ନିଷ୍ପତି ନେଇଥିଲେ, କେଉଁ ଆଧାରରେ ନେଇଥିଲେ ଏବଂ ସରକାରୀ ଆଦେଶର କାର୍ଯ୍ୟକାରିତାରେ କାହିଁକି ବିଳମ୍ବ ହେଲା, ତାହା ସ୍ପଷ୍ଟ ହେବା ଆବଶ୍ୟକ।ଗୋଟିଏ ସରକାରୀ ସଂଗଠନରେ ଦୀର୍ଘଦିନ ଧରି ଡେପୁଟେସନ୍ରେ କାର୍ଯ୍ୟ କରିବା, ମୂଳ ପଦବୀଠାରୁ ଉଚ୍ଚତର ଦାୟିତ୍ୱ ନ୍ୟସ୍ତ କରିବା ଏବଂ ଉଚ୍ଚସ୍ତରୀୟ ସରକାରୀ ଆଦେଶର କାର୍ଯ୍ୟକାରିତାରେ ବିଳମ୍ବ ହେବା ଭଳି ଘଟଣା ପ୍ରଶାସନିକ ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି। ଏହା କେବଳ ଜଣେ କର୍ମଚାରୀଙ୍କ ବଦଳିର ପ୍ରସଙ୍ଗ ନୁହେଁ; ବରଂ ସରକାରୀ ନିୟମ, ପଦବୀର ମର୍ଯ୍ୟାଦା ଓ ପ୍ରଶାସନିକ ଦାୟିତ୍ୱବୋଧ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।ଏଣୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଡେପୁଟେସନ୍ର ଅବଧି, ଦାୟିତ୍ୱ ନ୍ୟସ୍ତ କରିବାର ଆଧାର, ରିଲିଭିଂ ଆଦେଶର କାର୍ଯ୍ୟକାରିତା ଏବଂ ଛୁଟି ମଞ୍ଜୁରିର ପ୍ରକ୍ରିୟା ଯାଂଚ କରାଯିବା ଉଚିତ। ଯଦି କୌଣସି ଅଧିକାରୀଙ୍କ ଦ୍ୱାରା ଜାଣିଶୁଣି ସରକାରୀ ଆଦେଶର ଉଲ୍ଲଂଘନ କିମ୍ବା ପ୍ରଶାସନିକ ଅନିୟମିତତା ପ୍ରମାଣିତ ହୁଏ, ତେବେ ନିୟମାନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।ସରକାରୀ ଆଦେଶ କାହାର ବ୍ୟକ୍ତିଗତ ଇଚ୍ଛାଧୀନ ନୁହେଁ। ଏହାର ସମୟୋଚିତ ଓ ନିରପେକ୍ଷ କାର୍ଯ୍ୟକାରିତା ହିଁ ସୁଶାସନ ଓ ପ୍ରଶାସନିକ ଶୃଙ୍ଖଳାର ପ୍ରକୃତ ପରିଚୟ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ