


ଜୟପୁର, ୫ ନଭେମ୍ବର (ହି.ସ.)- ସରକାରୀ ପ୍ରକଳ୍ପ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ। ଘଟଣା ସାମ୍ନାକୁ ଆସିବା ପରେ ଚର୍ଚାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ, ର ନାରୀଗାଁ ପଞ୍ଚାୟତ। ପଞ୍ଚାୟତର ସ୍ବତନ୍ତ ଅନୁଦାନକୁ ଉନ୍ନତିକରଣ ନାଁରେ କାମ ନ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ। ପଞ୍ଚାୟତର ସ୍ୱତନ୍ତ୍ର ଅନୁଦାନରେ ୧୬ ଗୋଟି ପ୍ରକଳ୍ପ ନାଁରେ ୩୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପିଇଓଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ପାଇଁ ୫ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ପଠେଇଛି ଜିଲା ପ୍ରଶାସନ । ଏହି ତଦନ୍ତ ପ୍ରକ୍ରିୟାକୁ ନେଇ କନିଷ୍ଠ ଯନ୍ତ୍ରୀ ଓ ଯନ୍ତ୍ରୀ ଛାନିଆ ହୋଇଥିବା ଜଣାଯାଇଛି ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନାରୀଗାଁ ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ବାରି ହୋଇଛି। ସରକାର ଅନୁଦାନ ଟଙ୍କାକୁ କିଛି ଅସାଧୁ କର୍ମଚାରୀ ଆତ୍ମସାତ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହେଇଛି। ବୋରିଗୁମ୍ମା ବ୍ଲକ ନାରୀଗାଁ ପଞ୍ଚାୟତରେ ୧୬ ଗୋଟି ପ୍ରକଳ୍ପ ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଅନୁଦାନ ଆସିଥିଲା କିନ୍ତୁ ସେଥି ମଧ୍ୟରୁ ଅନେକ ମିଥ୍ୟା ବିଲ୍ ହୋଇଥିବା ଅଭିଯୋଗ କରିଛନ୍ତି ନାରୀଗାଁ ପଞ୍ଚାୟତବାସୀ। ଯେପରିକି ପଞ୍ଚାୟତର ପାଇକ ସାହିରୁ ବ୍ରାହ୍ମଣ ସାହି ସିସି ରୋଡ଼ ପାଇଁ ୪ ଲକ୍ଷ ୪୯ ହଜାର ୬୧୫ ଟଙ୍କା, ଅମନାତ୍ୟ ସାହିର କଲଭର୍ଟ ନିର୍ମାଣ ପାଇଁ ୪ ଲକ୍ଷ ୪୮ ହଜାର ୮୧୫ ଟଙ୍କା, ମହା କାଳେଶ୍ୱର ମନ୍ଦିର ପାଖରେ କଲଭର୍ଟ ପାଇଁ ୪ ଲକ୍ଷ ୪୮ ହଜାର ୪୬୦ ଟଙ୍କା ଗାଁରେ ଫେବର ବ୍ଲକ ରାସ୍ତା, ରାମପାତ୍ରପୁଟ ହୁଣ୍ଡି ଠାରେ ମଣ୍ଡପ, ଡ୍ରେନ ସଫେଇ, ନଳକୂପ ଖନନ, ହରିଜନ ସାହିରେ ମଣ୍ଡପ ଏବଂ ଚୋରାମୂଳା ଗାଁରେ ପୋଖରୀ ପୁନଃରୁଦ୍ଧାର ଭଳି କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପ୍ରାଥମିକ ତଦନ୍ତ ପରେ ଜିଲ୍ଲା ପ୍ରଶାସନ ନାରୀଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମକୃଷ୍ଣ ମିଶ୍ରଙ୍କୁ ନିଲମ୍ବିତ କରିଛି।ଉନ୍ନତିକରଣ ନାଁରେ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ପରେ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ୮ ଜଣିଆ ଟିମ୍ ନାରୀଗାଁ ପଞ୍ଚାୟତରେ ପହଁଞ୍ଚି ପଞ୍ଚାୟତ କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ କରୁଛି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳା କାରନାମାର କେତେଦୂର ଚେର ଲମ୍ବିଛି ଏଥିରେ ଯନ୍ତ୍ରୀ ସରପଞ୍ଚ ଆଉ କିଏ କିଏ ସାମିଲ ଅଛନ୍ତି ତାକୁ ନେଇ ସ୍ବତନ୍ତ୍ର ଟିମ୍ ଖୋଲତାଡ଼ କରୁଥିବା ବେଳେ ସେପଟେ ନାରୀଗାଁ ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଛନ୍ତି ମୁଁ କିଛି ଜାଣିନାହିଁ ମୋତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫାଇଲ ଖୋଲିବାକୁ କହି ଦସ୍ତଖତ କରାଇଥିଲେ ଏବଂ ଦରମା ଟଙ୍କା କ୍ରେଡ଼ିଟ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ବ୍ୟାଙ୍କ ଖାତା ଏବଂ ଚେକ ବହି ପଞ୍ଚାୟତ ନିର୍ବାହୀ ଅଧିକାରୀ ହିଁ ବ୍ୟବହାର କରି ଟଙ୍କା ଉଠାଉଥିଲେ। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ପିଅନ ପ୍ରତିକ୍ରିୟା ରଖିଛନ୍ତି ମୋର ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚେକ ବହି ଆଉ ଏଟିଏମ କାର୍ଡ ନିଜେ ବ୍ୟବହାର କରୁଥିଲେ ମୁଁ କିଛି ଜାଣିନାହିଁ। ବୋରିଗୁମ୍ମା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ କହିଛନ୍ତି ତଦନ୍ତ ଚାଲିଛି ଏହି ଦୁର୍ନୀତିରେ ଆଉ କିଏ କିଏ ସାମିଲ ଅଛନ୍ତି ତଦନ୍ତ ପରେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହିନ୍ଦୁସ୍ଥାନ ସମାଚାର / ପିକେପି