
ଝାରସୁଗୁଡ଼ା, ୫ ନଭେମ୍ବର (ହି.ସ.)- ୪୯ ନଂ ଜାତୀୟ ରାଜପଥରେ ଭାରୀଯାନ ଗୁଡ଼ିକର ବେପରୁଆ ଓ ଦ୍ରୁତ ଗତିରେ ଚଳାଚଳ ଯୋଗୁଁ ସଡ଼କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି କୋଇଲା ବୋଝେଇ ଟ୍ରକ୍ ଗୁଡ଼ିକର ଅନିୟନ୍ତ୍ରିତ ଗତି ଓ ବିପଜ୍ଜନକ ଓଭରଟେକିଂ ଯୋଗୁଁ ଏହି ରାଜପଥ ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଭାରୀଯାନର ଗତି ନିୟନ୍ତ୍ରଣ ଓ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନ କରାଇବାରେ ଆଞ୍ଚଳିକ ପରିବହନ ବିଭାଗର ଭୂମିକା ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ବୁଧବାର ବିଳମ୍ବିତ ରାତିରେ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକ ବୁଲାଣିରେ ଏକ କୋଇଲା ବୋଝେଇ ଟ୍ରକ୍ ଓ ଇନୋଭା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କାର୍ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭରଙ୍କ ସମେତ କାର୍ ରେ ଥିବା ୫ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ପଟୁ ଛତିଶଗଡ଼ର ରାୟଗଡ଼ ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକ୍ ନମ୍ବର (ସିଜି ୦୪ ପିକ୍ୟୁ ୦୬୭୩) ସାହାସବଗା ଛକ ବୁଲାଣି ନିକଟରେ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ୍ କୁ ଅତିକ୍ରମ କରୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଇନୋଭା କାର୍ ନମ୍ବର (ଓଡି ୧୬ ଏନ୍ ୦୦୦୧) ସହ ଟ୍ରକ୍ ର ସିଧାସଳଖ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍ ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିଲା। ତେବେ ସୌଭାଗ୍ୟ ବଶତଃ କାର୍ ରେ ଥିବା ୫ ଜଣ ଯାତ୍ରୀ ବଡ଼ ବିପଦରୁ ରକ୍ଷା ପାଇ ଯାଇଛନ୍ତି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ତେବେ ଘଟଣାର ତଦନ୍ତ ଜାରି ରହିଛି, ଦୁର୍ଘଟଣାଗ୍ରସ୍ତ ଇନୋଭା କାର୍ ଟି ସୁନ୍ଦରଗଡ଼ ଅଞ୍ଚଳର ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଏହି ଜାତୀୟ ରାଜପଥରେ ନିୟମିତ ଭାବେ ଦୁର୍ଘଟଣା ଘଟୁଥିବା ସତ୍ତ୍ୱେ ଭାରୀଯାନ ଗୁଡ଼ିକର ଗତି ନିୟନ୍ତ୍ରଣ, ବେଆଇନ ଓଭରଟେକିଂ ରୋକିବା ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ନିୟମିତ ଯାଞ୍ଚ ନେଇ ପରିବହନ ବିଭାଗର ଅଧିକ ସକ୍ରିୟତା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ