ବିସ୍ଥାପିତଙ୍କ ପାଇଁ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା; ଭୁତ କୋଠୀ ପାଲଟିଛି ଏଏନ୍ଏମ୍ କେନ୍ଦ୍ର
ଚମ୍ପୁଆ, ୦୫ ନଭେମ୍ବର (ହି.ସ.)- ବିସ୍ଥାପିତଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଏବଂ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଏଠାରେ ଏଏନ୍ଏମ୍ କେନ୍ଦ୍ର
ବିସ୍ଥାପିତଙ୍କ ପାଇଁ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା; ଭୁତ କୋଠୀ ପାଲଟିଛି ଏଏନ୍ଏମ୍ କେନ୍ଦ୍ର


ଚମ୍ପୁଆ, ୦୫ ନଭେମ୍ବର (ହି.ସ.)- ବିସ୍ଥାପିତଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଏବଂ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଏଠାରେ ଏଏନ୍ଏମ୍ କେନ୍ଦ୍ର ଥିଲେ ମଧ୍ୟ କୌଣସି ଏଏନ୍ଏମ୍ କିମ୍ବା ସ୍ୱାସ୍ଥ୍ୟକର୍ମୀ ନିୟମିତ ଭାବେ କାର୍ଯ୍ୟରତ ନଥିବା ଅଭିଯୋଗ ହୋଇଛି । ଫଳରେ କଲୋନୀରେ ବସବାସ କରୁଥିବା ବିସ୍ଥାପିତ ପରିବାରଗୁଡ଼ିକ ମୌଳିକ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ଚମକପୁର ଗ୍ରାମର ଶତାଧିକ ପରିବାର ନିଜ ଭିଟାମାଟି ଛାଡ଼ି ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବସବାସ କରିଆସୁଛନ୍ତି । ନିଜର ପୂର୍ବପୁରୁଷଙ୍କ ଭିଟାମାଟି ଓ ପରିଚିତ ପରିବେଶ ଛାଡ଼ି ନୂତନ ସ୍ଥାନରେ ଜୀବନ ଆରମ୍ଭ କରିଥିବା ଏହି ପରିବାରଗୁଡ଼ିକ ଆଜି ମଧ୍ୟ ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟସେବା ସମସ୍ୟା ଏବେ ଗୁରୁତର ରୂପ ନେଇଛି । କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଜରିଆରେ କଲୋନୀରେ ଏକ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ସେଠାରେ ନିୟମିତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ନଥିବାରୁ ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଆବଶ୍ୟକ ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି । ଟିକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା, ନିୟମିତ ସ୍ୱାସ୍ଥ୍ୟ ଯାଂଚ ଭଳି ଜରୁରୀ ସେବା ପାଇଁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଅନ୍ୟ ସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ପ୍ରଶ୍ନ ଉଠୁଛି, ଲକ୍ଷାଧିକ ଟଙ୍କା ବ୍ୟୟରେ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ଯଦି ସେଠାରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ନାହାନ୍ତି, ତେବେ ଏହି କେନ୍ଦ୍ରର ଉଦ୍ଦେଶ୍ୟ କଣ ? କେବଳ କୋଠା ନିର୍ମାଣ କରିଦେଲେ କ'ଣ ବିସ୍ଥାପିତଙ୍କ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୋଇପାରିବ? ଏହାର ପରିଚାଳନା ଓ ତଦାରଖ ଦାୟିତ୍ୱ କାହାର ? ଏହି ପ୍ରଶ୍ନଗୁଡ଼ିକ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଅନ୍ୟପକ୍ଷରେ, ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦାୟିତ୍ୱରେ ଥିବା ପ୍ରକଳ୍ପ କର୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବେ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ବିସ୍ଥାପିତ ପରିବାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶାସନର ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିସ୍ଥାପନର ଯନ୍ତ୍ରଣା ସହି ଆସୁଥିବା ପରିବାରଗୁଡ଼ିକୁ ଅନ୍ତତଃ ମୌଳିକ ସ୍ୱାସ୍ଥ୍ୟସେବାରୁ ବଂଚିତ ନକରିବାକୁ ସାଧାରଣରେ ଦାବି ଜୋର ଧରିଛି । ବିସ୍ଥାପିତଙ୍କ ପାଇଁ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ ହୋଇଛି, ହେଲେ ସେବା କେବେ ମିଳିବ ? ଏବେ ଏହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।

ତେଣୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସମ୍ପୃକ୍ତ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି ଏଏନ୍ଏମ୍ କେନ୍ଦ୍ରର ସ୍ଥିତି ଯାଂଚ କରିବା ସହ ନିୟମିତ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, କେନ୍ଦ୍ରର ନିୟମିତ ପରିଚାଳନା ଏବଂ ଆବଶ୍ୟକ ଔଷଧ ଓ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande