
ଝାରସୁଗୁଡ଼ା, ୫ ନଭେମ୍ବର (ହି.ସ.)- ବହୁ ପ୍ରତୀକ୍ଷିତ ବେଲପାହାଡ଼ ଅଟଳ ବସଷ୍ଟାଣ୍ଡ ଏବେ ଅଞ୍ଚଳବାସୀଙ୍କ ପାଇଁ ଅଲୋଡ଼ା ହୋଇ ପଡ଼ିଛି। ଦୁଇ ଦୁଇ ଥର ଉଦ୍ଘାଟନ ହୋଇଥିଲେ ମଧ୍ୟ ଏଯାଏଁ ଏଠାରୁ ବସ୍ ଚଳାଚଳ ଆରମ୍ଭ ହୋଇପାରିନାହିଁ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବାରୁ ବସଷ୍ଟାଣ୍ଡ କେବେ କାର୍ଯ୍ୟକ୍ଷମ ହେବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ନବନିର୍ମିତ ଅଟଳ ବସଷ୍ଟାଣ୍ଡକୁ ପ୍ରଥମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରାଯାଇଥିଲା। ପରେ ଗତ ଅକ୍ଟୋବର ୧୬ ତାରିଖରେ ପରିବହନ ମନ୍ତ୍ରୀ ବିଭୂତି ଜେନା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଏହାର ପୁନର୍ବାର ଉଦ୍ଘାଟନ କରାଯାଇଥିଲା। ଦ୍ୱିତୀୟ ଉଦ୍ଘାଟନର ଦୁଇ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବସ୍ ଚଳାଚଳ ଆରମ୍ଭ ନହେବା ଅଞ୍ଚଳବାସୀଙ୍କୁ ନିରାଶ କରିଛି।
ବସଷ୍ଟାଣ୍ଡ ପରିସରରେ ଏବେ ମଧ୍ୟ ବାଲି, ଗୋଡ଼ି ଓ ଲୁହାଛଡ଼ ଭଳି ବିଭିନ୍ନ ନିର୍ମାଣ ସାମଗ୍ରୀ ପଡ଼ିରହିଛି। ପାଣି ପାଇପ୍ ସଂଯୋଗ ଓ ପାଣି ଟାଙ୍କି ସ୍ଥାପନ କାର୍ଯ୍ୟ ଅଧାପନ୍ତରିଆ ରହିଥିବା ବେଳେ ବସ୍ ସର୍ଭିସିଂ ସ୍ଥାନରେ ଆବଶ୍ୟକ ଛାଉଣୀ ମଧ୍ୟ ଲଗାଯାଇନାହିଁ। ଏପରିକି ବସଷ୍ଟାଣ୍ଡକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ଦିଆଯାଇନାହିଁ। ଏଭଳି ଅବ୍ୟବସ୍ଥା ଯୋଗୁଁ ପ୍ରାୟ ୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡର କାର୍ଯ୍ୟର ଗୁଣବତ୍ତା ଓ ନିର୍ମାଣର ମାନକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ବସଷ୍ଟାଣ୍ଡ ନିର୍ମାଣ ପାଇଁ ଧାର୍ଯ୍ୟ ସମୟସୀମା ଶେଷ ହେବାର ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ସମ୍ପୃକ୍ତ ଯନ୍ତ୍ରୀ ନିୟମିତ ଭାବେ କାର୍ଯ୍ୟସ୍ଥଳକୁ ଆସି ତଦାରଖ କରୁନଥିବା ନେଇ ମଧ୍ୟ ବେଲପାହାଡ଼ବାସୀ ଅଭିଯୋଗ କରିଛନ୍ତି। ନିର୍ମାଣ ସମୟରେ ନିୟମିତ ଯାଞ୍ଚ ଓ ତଦାରଖ କରାଯାଇଥିଲେ ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି ସେମାନେ ମତ ଦେଇଛନ୍ତି।
ବସଷ୍ଟାଣ୍ଡ ନିର୍ମାଣରେ ନିୟୋଜିତ ଠିକାସଂସ୍ଥାର କାର୍ଯ୍ୟଦକ୍ଷତା ଏବଂ ନିର୍ମାଣର ଗୁଣବତ୍ତା ଉପରେ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏତେ ଅର୍ଥ ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ଉଦ୍ଘାଟନ ପରେ ମଧ୍ୟ ଲୋକଙ୍କ କାମରେ ନଲାଗିବା ପରିତାପର ବିଷୟ। ତେଣୁ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରି ବସ୍ ଚଳାଚଳ ଆରମ୍ଭ କରିବା ସହ ନିର୍ମାଣର ଗୁଣବତ୍ତା ଯାଞ୍ଚ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ