
ଝାରସୁଗୁଡ଼ା, ୫ ନଭେମ୍ବର (ହି.ସ.)- ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ବ୍ୟବସ୍ଥା ଏବେ ନିଜେ ଅନ୍ଧକାରରେ ହଜିଯାଇଛି। ଦିନେ ଆକର୍ଷଣୀୟ ଦେଖାଯାଉଥିବା ରମ୍ପେଲା ସେତୁ ରାତି ହେଲେ ଅନ୍ଧାରରେ ଡୁବି ରହୁଛି। ସେତୁରେ ଲାଗିଥିବା ୧୧୫ଟି ଆଲୋକ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇପଡ଼ିଥିବାରୁ ଯାତାୟାତକାରୀଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି। ଆଶ୍ଚର୍ଯ୍ୟର କଥା, ଏହି ଆଲୋକୀକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୮୨.୯୬ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପର ସ୍ଥିତି ଏବେ ଶୋଚନୀୟ।
ସୂଚନା ଅନୁଯାୟୀ, ରମ୍ପେଲା ସେତୁର ଆଲୋକୀକରଣ ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ୮୨.୯୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ୧୮ ଜାନୁଆରୀ ୨୦୨୧ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଏହି ଅବସରରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସ ଓ ପୂର୍ବତନ ବ୍ରଜରାଜନଗର ବିଧାୟକ ସ୍ୱର୍ଗତ କିଶୋର ମହାନ୍ତି ଉପସ୍ଥିତ ଥିଲେ। ସେତୁର ଉଭୟ ପାର୍ଶ୍ୱରେ ମୋଟ ୧୧୫ଟି ଲାଇଟ୍ ଲଗାଇବା ପାଇଁ ଟେଣ୍ଡର ହୋଇଥିବା ବେଳେ ଏହାର କାର୍ଯ୍ୟଭାର ଏମ୍/ଏସ୍ ସଂସ୍କୃତି ଆସୋସିଏଟ୍ ପ୍ରାଇଭେଟ୍ ଲିମିଟେଡ୍ କୁ ଦିଆଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେତୁର ସମଗ୍ର ଅଞ୍ଚଳ ଆଲୋକିତ ହୋଇଥିଲା। ଦୀର୍ଘଦିନର ଦାବି ପୂରଣ ହେବା ସହ ସେତୁର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ିଥିଲା। ପରେ ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଲାଇଟ୍ ଗୁଡ଼ିକର ମରାମତି କରାଯିବା ସହ ତ୍ରିରଙ୍ଗା ରଙ୍ଗର ଆଲୋକମାଳା ଲଗାଯାଇଥିଲା। ଏହାଦ୍ୱାରା ସେତୁର ଆକର୍ଷଣ ଆହୁରି ବଢ଼ିଥିଲା। ହେଲେ ଏହି ଚିତ୍ର ବେଶିଦିନ ରହିଲା ନାହିଁ। କିଛି ମାସ ପରେ ଧୀରେ ଧୀରେ ଲାଇଟ୍ ଗୁଡ଼ିକ ଅଚଳ ହେବାକୁ ଲାଗିଲା। ଏବେ ସ୍ଥିତି ଏପରି ଯେ ସେତୁର ବହୁ ଅଂଶ ରାତିରେ ଅନ୍ଧକାରମୟ ହୋଇ ରହୁଛି। ଏହି ସେତୁ ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଆଲୋକ ଅଭାବରୁ ବିଶେଷକରି ରାତିରେ ଦୁଇଚକିଆ ଯାନ ଚାଳକ ଓ ପଥଚାରୀମାନେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଅନ୍ଧାର ଯୋଗୁଁ ରାସ୍ତାର ସ୍ଥିତି ଓ ଆଗରୁ ଆସୁଥିବା ଯାନବାହନକୁ ଠିକ୍ ଭାବେ ଦେଖିବା କଷ୍ଟକର ହେଉଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିଛି। କେବଳ ଦୁର୍ଘଟଣା ନୁହେଁ, ସେତୁର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଅତୀତରେ ସେତୁ ଅଞ୍ଚଳ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଥିଲା। ଏଭଳି କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ଦାବି ପରେ ସେତୁ ନିକଟରେ ପୁଲିସ ବିଟ୍ ହାଉସ୍ ସ୍ଥାପନ କରାଯାଇଥିଲା। ମାତ୍ର ବର୍ତ୍ତମାନ ଆଲୋକୀକରଣ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ପୁଣି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସରକାରୀ ଅର୍ଥରେ ନିର୍ମିତ ଏକ ଗୁରୁତ୍ୱପୂର୍ଣ୍ଣ ଜନସାଧାରଣଙ୍କ ପ୍ରକଳ୍ପ ଏଭଳି ଅବହେଳିତ ହୋଇ ରହିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୮୨.୯୬ ଲକ୍ଷ ଟଙ୍କାର ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ କାହା ଉପରେ ନ୍ୟସ୍ତ ରହିଛି, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଏହି ମାମଲାରେ ହସ୍ତକ୍ଷେପ କରି ଦାୟିତ୍ୱପ୍ରାପ୍ତ ବିଭାଗ କିମ୍ବା ସଂସ୍ଥାକୁ ଚିହ୍ନଟ କରିବା ସହ ସମସ୍ତ ଅଚଳ ଲାଇଟ୍ ର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି। ନଚେତ୍ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିର୍ମିତ ଏହି ପ୍ରକଳ୍ପ କେବଳ ସରକାରୀ ଅର୍ଥର ଅପଚୟର ଉଦାହରଣ ହୋଇ ରହିଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ