ବିବାଦ ଘେରରେ ଥିବା ଲଇକେରା ବିଇଓଙ୍କ ବଦଳି
Disputed BEO transferred
ବିବାଦ ଘେରରେ ଥିବା ଲଇକେରା ବିଇଓଙ୍କ ବଦଳି


ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକକୁ ହିମାଂଶୁ ବାଗଙ୍କୁ ନୂଆ ନିଯୁକ୍ତି, ବ୍ରହ୍ମଗିରିର ଅତିରିକ୍ତ ଦାୟିତ୍ୱ

ଝାରସୁଗୁଡା , 05 ନଭେମ୍ବର (ହି.ସ.)ବିଭିନ୍ନ ଅଭିଯୋଗ ଓ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଲଇକେରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ହିମାଂଶୁ ବାଗଙ୍କ ବଦଳି ହୋଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତାଙ୍କୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ବିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ତାଙ୍କୁ ବ୍ରହ୍ମଗିରି ବ୍ଲକର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ବିଇଓ ଶ୍ରୀ ବାଗଙ୍କ କାର୍ଯ୍ୟଶୈଳୀକୁ ନେଇ ଲଇକେରା ବ୍ଲକରେ ବିବାଦ ଲାଗି ରହିଥିଲା। ବ୍ଲକର ଜଣେ ଶିକ୍ଷକ ତାଙ୍କ ନାମରେ ଲାଞ୍ଚ କାରବାର ସମ୍ପର୍କିତ ଅଭିଯୋଗ ଆଣିଥିଲେ। ଏଥିସହ ଲଇକେରା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଜିଲ୍ଲାପାଳ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ, ଗଣଶିକ୍ଷା ମନ୍ତ୍ରୀ, ଝାରସୁଗୁଡ଼ା ବିଧାୟକ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଥିଲା।

ଏହି ଅଭିଯୋଗଗୁଡ଼ିକ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାରିତ ହେବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଥିଲା। ପରେ ଏ ସମ୍ପର୍କିତ ଖବର ଦୈନିକ 'ଧରିତ୍ରୀ'ରେ ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ଏକ ତଦନ୍ତକାରୀ ଦଳ ପଠାଇ ଘଟଣାର ନିରପେକ୍ଷ ତଦନ୍ତ କରାଇଥିଲେ।

ତଦନ୍ତ ରିପୋର୍ଟ ଦାଖଲ ପରେ ଶିକ୍ଷା ବିଭାଗ ପକ୍ଷରୁ ବିଇଓ ଶ୍ରୀ ବାଗଙ୍କ ବଦଳି କରାଯାଇଥିବା ସୂଚନା ମିଳିଛି। ତେବେ ଏହି ବଦଳିକୁ ନେଇ ଜିଲ୍ଲାର ଶିକ୍ଷା ମହଲରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande