
ଝାରସୁଗୁଡା, ୫ ନଭେମ୍ବର (ହି.ସ.)- ଚଳିତ ବର୍ଷ ଧାନ ଫସଲରେ ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିଛି। ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଲଇକେରା ତହସିଲ ଅଞ୍ଚଳର ଚାଷୀମାନେ ଏବେ ଆର୍ଥିକ ସଙ୍କଟର ଆଶଙ୍କାରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ ଦାବିରେ ଗୁରୁବାର ତହସିଲଦାରଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇଛି।
ଦାବିପତ୍ରରେ ଚାଷୀମାନେ ଦର୍ଶାଇଛନ୍ତି ଯେ, ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ବିଭିନ୍ନ ପ୍ରାକୃତିକ ସମସ୍ୟା ସହ ରୋଗପୋକ ଆକ୍ରମଣ ଯୋଗୁଁ ଧାନ ଫସଲ ପ୍ରଭାବିତ ହୋଇଛି। ବିଶେଷକରି ଧାନ ଗଛରେ ରୋଗପୋକ ଲାଗିବା ସହ ପତ୍ରପୋଡ଼ା ରୋଗ ଦେଖାଦେବାରୁ ଫସଲର ବିକାଶ ବାଧାପ୍ରାପ୍ତ ହୋଇଛି। ଫଳରେ ଚଳିତ ଖରିଫ ଋତୁରେ ଆଶାନୁରୂପ ଧାନ ଅମଳ ହେବା ନେଇ ଚାଷୀମାନେ ଆଶଙ୍କାରେ ଅଛନ୍ତି। ଏହାସହ ଅମଳ ପୂର୍ବରୁ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ଷସାରା ପରିଶ୍ରମ କରି ଫସଲ ଉତ୍ପାଦନ କରିଥିବା ଚାଷୀମାନେ ଅମଳ ସମୟରେ ଏଭଳି କ୍ଷତିର ସମ୍ମୁଖୀନ ହେବାରୁ ଋଣ ପରିଶୋଧ ଓ ପରିବାର ପ୍ରତିପୋଷଣକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷଜମିର ସରଜମିନ ତଦନ୍ତ କରି କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି।
ଏହି ଦାବିପତ୍ର ପ୍ରଦାନ ସମୟରେ ଲଇକେରା ମା' ଅନ୍ଧାରି କୃଷକ ସଂଘର ସଭାପତି ହେମନ୍ତ ସାଗର କୁମୁରା, ସମ୍ପାଦକ ରୋହିତ କିସାନଙ୍କ ସମେତ ଅଶୋକ ମାଝୀ, ଅଜିତ ପଟେଲ, ଅରକ୍ଷିତ କିସାନ, ସଦାନନ୍ଦ ଚୌଧୁରୀ ଓ ବ୍ଲକର ବହୁ ଚାଷୀ ଉପସ୍ଥିତ ରହି ତହସିଲଦାର ଦିଲ୍ଲୀପ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ